ଛତାମଖନା ହାଇସ୍କୁଲର ବାର୍ଷିକ ଉତ୍ସବ ପାଳିତ

  • ଶିିକ୍ଷା ସମାଜର ମେରୁଦଣ୍ଡ ସଦୃଶ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛତାମଖନା ବିନୋବା ହାଇସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବର ମୁଖ୍ୟ ଅତିଥି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସତ୍ୟାନନ୍ଦ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ନିଜ ବକ୍ତବ୍ୟରେ ଏହି ସ୍କୁଲରେ ନିଜ ପିଲା ଦିନର ପାଠପଢା କଥାକୁ ମନେ ପକାଇଥିଲେ ଶ୍ରୀ ମିଶ୍ର । ଏହି ଗାଁକୁ ବୀର ମାଟି କହି ଭାରତ ସରକାର ଘୋଷଣା କରିଥିବା ଅବିଭକ୍ତ ବଲାଙ୍ଗିର ସୋନପୁର ଜିଲ୍ଲାର ୯ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଦୁଇ ଜଣ ସ୍ୱର୍ଗତ ସତ୍ୟାନନ୍ଦ ମିଶ୍ର ଓ ସ୍ୱର୍ଗତ ଯୁଧିଷ୍ଟିର ମିଶ୍ରଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ ଜନ୍ମ ଦେଇଛି ଏ ଗାଁ । ଏହି ଗାଁରେ ଭାରତୀୟ ସମ୍ବିଧାନ ପ୍ରଣୟନ ସଭାର ସଭ୍ୟ ସ୍ୱର୍ଗତ ଯୁଧିଷ୍ଟିର ମିଶ୍ର ଜନ୍ମ ନେଇଛନ୍ତି । ବିଧାୟକ ଶ୍ରୀ ମିଶ୍ର ନିଜେ ଏଇଠି ପଢି, ବଢି, ପାଞ୍ଚ ଥର ବିଧାୟକ, ଆଇନ ମନ୍ତ୍ରୀ, ବିରୋଧିଦଳ ନେତା, ଆଇନ କମିଶନର ସଦସ୍ୟ ହୋଇ ପାରିଛନ୍ତି । ଏ ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ସଂଜୟ ମିଶ୍ର ବର୍ତ୍ତମାନ ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଅବସ୍ଥାପିତ । ଏହି ସ୍କୁଲର ଅନେକ ଛାତ୍ର ଇଂଞ୍ଜିନିୟର, ପ୍ରଫେସର ହୋଇ ବିଭିନ୍ନ ସ୍ଥାନମାନଙ୍କରେ କାର୍ଯ୍ୟରତ, ଅନେକ ପ୍ରତିଭାକୁ ଜନ୍ମ ଦେଇଛି ଏ ମାଟି । ସ୍କୁଲର ଭିତ୍ତିଭୂମିର ସୁଧାର କରିଦେଲେ ଯେ ସବୁ ହୋଇଗଲା ଏମିତି ନୁହେଁ ଆମକୁ ଯୁଗପୋଯୋଗୀ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ପିଲାମାନଙ୍କୁ ଏକ ସମର୍ଥ ଭାରତ ପାଇଁ ପ୍ରସ୍ତୁତ କରିବା ପାଇଁ ପଡିବ । ଶିକ୍ଷା ସମାଜର ମେରୁଦଣ୍ଡ ସଦୃଶ୍ୟ, ଶିକ୍ଷାର ଅବ୍ୟବସ୍ଥା ହେଲେ ସମାଜ ଦୋହଳି ଯିବ ବୋଲି ମତ ପ୍ରକାଶ ପାଇଥିଲା । ସମ୍ମାନିତ ଅତିଥି ଭାବେ ସ୍କୁଲର ପୁରାତନ ଛାତ୍ର ସମାଜସେବୀ ଶୁଭ୍ରାଂଶୁ ଶେଖର ପଣ୍ଡା ସ୍କୁଲର ପାନୀୟ ଜଳ ସମସ୍ୟା ତଥା ଏନ୍‌ସିସିର ଶାଖାଟିଏ ଖେଳିବା ପାଇଁ ବିଧାୟକଙ୍କୁ ନିବେଦନ କରିଥିଲେ । ସ୍ଥାନୀୟ ସରପଞ୍ଚ ଅଞ୍ଜଳି ବାଗ ଅନ୍ୟତମ ସମ୍ମାନିତ ଅତିଥି ରୂପେ ମଂଚାସୀନ ଥିବା ବେଳେ ପ୍ରଧାନ ଶିକ୍ଷକ ନିଳମଣି ପଟେଲ ଉତ୍ସବରେ ସଭାପତିତ୍ୱ କରିଥିଲେ । ବହୁମାତ୍ରାରେ ଛାତ୍ରଛାତ୍ରୀ ତଥା ଅଭିଭାବକ ଏଥିରେ ସାମିଲ ହୋଇଥିଲେ । ଶେଷରେ ବିଧାୟକ ଶ୍ରୀ ମିଶ୍ର କ୍ରୀଡା ଓ ଶିକ୍ଷା କ୍ଷେତ୍ରରେ ପାରିଦର୍ଶିତା ହାସିଲ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଶକ୍ତିବାଇ ପଣ୍ଡା ଏବଂ ଗୀତାଞ୍ଜଳି ପଣ୍ଡା ପ୍ରମୁଖ ଉଦ୍‌ଘୋଷକ ଦାୟିତ୍ୱ ତୁଳାଇଥିବା ବେଳେ ସୁଶ୍ରୀ ସୁଚିସ୍ମିତା ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!