
- ଛାତ୍ର ଜୀବନରେ ଶ୍ରମ : ସାରା ଜୀବନକୁ ଦିଏ ଆରାମ
ମ.ରାମପୁର, (ହେମନ୍ତ ସାହୁ) : ଛାତ୍ର ଜୀବନରେ ଶ୍ରମ କରିଥିଲେ ତାହା ବାକି ଜୀବନକୁ ଆରାମ କରିବା ପାଇଁ ସୁଯୋଗ ଦେଇଥାଏ । କାରଣ ନିଜ ଛାତ୍ର ଜୀବନରେ ଲକ୍ଷ୍ୟ ସ୍ଥିର କରିବା ସହିତ ଅଧ୍ୟବସାୟ ବଳରେ ଜୀବନରେ ସଫଳତା ମିଳିଥାଏ ବୋଲି ମ.ରାମପୁର ବ୍ଲକ ଅନ୍ତର୍ଗତ ପଣ୍ଡକମାଳ ପଂଚାୟତ ତୁଜୁଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରଥମ ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଏଡିଇଓ ପ୍ରେମଲାଲ ଦୁବେ, ସମ୍ମାନିତ ଅତିଥି ଭାବରେ ଆଇପିଇ ମହେନ୍ଦ୍ର କୁମାର ପଣ୍ଡା, ଯୁବ ଉଦ୍ୟୋଗୀ ବିଭୁ ପ୍ରସାଦ ସାହୁ, ଡାକ୍ତର ଲୋକନାଥ ସାହୁ, ବୃନ୍ଦାବନ ନାଗ, ସାମ୍ବାଦିକ ହେମନ୍ତ ସାହୁ ଓ ସାମ୍ବାଦିକ ପରମାନନ୍ଦ ବିଶି, ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ରଞ୍ଜିତା ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଧାନ ଶିକ୍ଷକ ଦିବାକର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଦୟାମୟ ବାଗ ମଞ୍ଚ ପରିଚାଳନା ଏବଂ ଶିକ୍ଷକ ହିମାଂଶୁ ଶେଖର ସିଂ ଭୋଇ ବାର୍ଷିକ ବିବରଣୀ ଏବଂ ମାନପତ୍ର ପଠନ କରିଥିଲେ । ପ୍ରଧାନ ଶିକ୍ଷକ ଦିବାକର ସାହୁଙ୍କ ଉଦ୍ୟମରେ ପ୍ରଥମ କରି ବାର୍ଷିକ ଉତ୍ସବ ପାଳନ ହୋଇଥିବା ବେଳେ ଏହି ଅବସରରେ ଗାଁରେ ଶିକ୍ଷାର ବିକାଶ ପାଇଁ ସ୍କୁଲ ଘର ନିର୍ମାଣ ପାଇଁ ଅବଦାନ ଥିବା ଗାଁର କେତେକ ବ୍ୟକ୍ତିଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଯୁବ ଉଦ୍ୟୋଗୀ ବିଭୁ ପ୍ରସାଦ ସାହୁ ଏବଂ ତୁଜଙ୍ଗ ସ୍କୁଲରେ ପାଠପାଢି ଡାକ୍ତର ହୋଇଥିବା ଡାକ୍ତର ଲୋକନାଥ ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୨୨ ମସିହା ମାଟ୍ରିକ ବୋର୍ଡ ପରୀକ୍ଷାରେ ସ୍କୁଲରେ ଟପ୍ପର ହୋଇଥିବା ଛାତ୍ର ମୋତିରାମ ନାଗ ଏବଂ ଛାତ୍ରୀ ରୋସନୀ ନାଗଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହାପରେ ସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶିକ୍ଷୟିତ୍ରୀ କବିତା ପଧାନ ପୁରସ୍କାର ବିତରଣୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।