ନୃସିଂହନାଥ ଠାରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ୩୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ଜାନୁୟାରୀ ୧ ତାରିଖ ଦିନ ଗନ୍ଧମାର୍ଦ୍ଦନ ଆନ୍ଦୋଳନର ୩୬ ତମ ବାର୍ଷିକ ଉତ୍ସବ ନୃସିଂହନାଥ ଠାରେ ପାଳନ କରିବା ପାଇଁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର କେନ୍ଦ୍ରୀୟ କମିଟିରେ ପ୍ରସ୍ତାବ ଗୃହୀତ ହୋଇଛି । ଆଜି ଯୁବ ପରିଷଦର ଆବାହକ ଦିଲ୍ଲୀପ ବେହେରାଙ୍କ ଅଧ୍ୟକ୍ଷତାରେ ନୃସିଂହନାଥ ସ୍ଥିତ ଭାଗବତତତ୍ତ୍ବ ଆଶ୍ରମ ପରିସରରେ ଅନୁଷ୍ଠିତ ବୈଠକରେ ୧ତାରିଖ ବାର୍ଷିକ ଉତ୍ସବ ଓ ଡିସେମ୍ବର ୨୭ ତାରିଖ ଦିନ ଟେମରୀ ଗ୍ରାମ ଠାରେ ମାଧବ ସିଂ ଠାକୁରଙ୍କ ସ୍ମୃତିରେ ସହିଦ୍ ଦିବସ ପାଳନ ପାଇଁ ପ୍ରସ୍ତାବିତ ହୋଇ ଥିଲା । ୧୯୮୫ ମସିହା ଅଗଷ୍ଟ ୧୫ ତାରିଖ ଦିନ ଗନ୍ଧମାର୍ଦ୍ଦନ ପର୍ବତରେ ବାଲ୍‌କୋର ବକସାଇଟ୍ ଖଣି ପ୍ରକଳ୍ପ ବିରୁଦ୍ଧରେ ଜନ ଆନ୍ଦୋଳନ କରିବାର ପାଇଁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଗଠିତ ହୋଇଥିଲା । ସେହି ଦିନ ଠାରୁ ପ୍ରତିବର୍ଷ ଅଗଷ୍ଟ ୧୯କୁ ସ୍ଥାପନ ଦିବସ ଓ ଜାନୁଆରୀ ୧କୁ ବାର୍ଷିକ ଉତ୍ସବ ଭାବେ ଗନ୍ଧମାର୍ଦ୍ଦନ ପରିଷଦ ପାଳନ କରି ଆସୁଛି । ୨୦୧୦ ମସିହା ଡିସେମ୍ବର ୨୭ ତାରିଖ ଦିନ ଗନ୍ଧମାର୍ଦ୍ଦନ ଆନ୍ଦୋଳନର ନେତା ମାଧବ ସିଂ ଠାକୁର ପୋଲିସ ଗୁଳିରେ ନିହତ ହୋଇଥିଲେ । ଟେମରୀ ଗ୍ରାମରେ ମାଧବ ସିଂ ଠାକୁରଙ୍କ ସ୍ମୃତିରେ ଏକ ସହିଦ୍ ସ୍ତମ୍ଭ ନିର୍ମିତ ହୋଇଛି । ଆସନ୍ତା ଜାନୁୟାରୀ ୧ ବାର୍ଷିକ ଉତ୍ସବରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗରେ ଅନେକ ଗୁରୁତ୍ୱ ଆଲୋଚନା ହେବ ବୋଲି ସ୍ଥିର କରାଯାଇଛି । କୋଭିଡ ନିୟମ ଅନୁଯାୟୀ କମ୍ ସଂଖ୍ୟାରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନକାରୀ ଏଥିରେ ସାମିଲ ହେବା ପରେ ନୃସିଂହନାଥ ସିଂହ ଦ୍ବାରରୁ ୩୬ଟି ମଶାଳ ପ୍ରଜ୍ଜଳିତ ପାଇଁ ସ୍ଥିର ହୋଇଛି । ଆଜି ଅନୁଷ୍ଠିତ କେନ୍ଦ୍ରୀୟ କମିଟି ବୈଠକରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ସାଧାରଣ ସଂପାଦକ ଦୁର୍ୟ୍ୟୋଧନ ପୁଟା,ପୂର୍ବତନ ଆବାହକ ଧିରେନ ମହାନ୍ତି, ରାହାସ ବିହାରୀ ସାହୁ, ଜଗଦିଶ ଲୁହାର, ସାମ୍ବାଦିକ ନିରୋଜ ପାଣୀ, କୈଲାସ ଦିଶାରୀ, ରାଜେନ୍ଦ୍ର ସେଠ, ଅନଙ୍ଗ ସିଂ, ଯୋଗୀ ଭୋଇ, ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.