ସାଇନ୍ସ ସୋସାଇଟିର ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ ବିଜ୍ଞାନ ସୋସାଇଟିର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସାଇନ୍ସ ସୋସାଇଟିର ଉପସଭାପତି ପ୍ରାଧ୍ୟାପିକା ତାପିନୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପରିଷଦର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପରେ ଅଧ୍ୟାପିକା ମୋନାଲିସା ସ୍ୱାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସଞ୍ଜୟ ନାୟକ ଯୋଗଦେଇ କର୍କଟ ଭଳି ମାରାତ୍ମକ ରୋଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ । ସେ ବିଭିନ୍ନ ପ୍ରକାରର ଟ୍ୟୁମର, କର୍କଟ ରୋଗର କାରଣ, ଏହାର ଭୟାବହତା ଏବଂ ସାବଧାନତା ଅବଲମ୍ବନ କରି କିପରି ଏହି ରୋଗରୁ ରକ୍ଷା ପାଇହେବ, ସେ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ମେଡିକାଲ ଅଫିସର ଡାକ୍ତର ଖ୍ୟାତି ସମ୍ଭବା ମହାପାତ୍ର ଯୋଗଦେଇ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସାମ୍ପ୍ରତିକ ସମୟରେ ବୃଦ୍ଧି ପାଉଥିବା ମାନସିକ ଚାପ, ଉଦ୍‌ବେଗ ଓ ଭୟ, ଭଳି ସମସ୍ୟା ଉପରେ ସେ ଆଲୋଚନା କରିବା ସହ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଥିବା କାରଣ ଓ ଏଥିରୁ ମୁକ୍ତି ପାଇ ଏକ ସୁସ୍ଥ ଜୀବନ ଶୈଳୀ କିପରି ଆପଣାଯାଇ ପାରିବ, ସେନେଇ ପରାମର୍ଶ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ତାରାପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠୀ, ପ୍ରମୋଦ କୁମାର ପାଣିଗ୍ରାହୀ, ଝୁନୁ ପରିଡ଼ା, କଳ୍ପନା ପାଢ଼ୀ ଓ ଡକ୍ଟର ତୁଷାରକାନ୍ତ ସାହୁଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ଅଧ୍ୟାପିକା ନିକିତା ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.