ବେହେରାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏସ୍‌ଏମ୍‌ସି ଅଧ୍ୟକ୍ଷ କାର୍ତ୍ତିକ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରସନିଧି ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ ବିଦ୍ୟାଳୟର ଉନ୍ନତି ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ଶୃଙ୍ଖଳିତ ହେବାକୁ ପ୍ରେରଣା ଦେଇଥିଲେ । ମୁଖ୍ୟବକ୍ତା ଭାବେ ବେହେରାମାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁରାରୀ ରଥ ଯୋଗଦେଇ ବିଦ୍ୟାଳୟ ହେଉଛି ମଣିଷ ଗଢ଼ା କାରଖାନା ବୋଲି ମତପ୍ରକାଶ କରିଥିଲେ । ସିଆର୍‌ସିସି ସୁରେନ୍ଦ୍ର ରଥ, ସମାଜସେବୀ ଗୌର ନାୟକ, ଶିକ୍ଷକ ସୁଦାମ ଖମାରୀ, ଜୟଶ୍ରୀରାମ ସିକନ୍ଦର ସମ୍ମାନିତ ଅତିଥି ଭାବେ ଯୋଗଦେଇ ମନଯୋଗୀ ହୋଇ ପାଠପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନକରି ଉତ୍ସାହିତ କରିଥିଲେ । ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ବାରିକ ବାର୍ଷିକ ବିବରଣୀ ପଠନ କରିଥିଲେ । ଶିକ୍ଷକ ଛତ୍ରପତି ପଧାନ ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ମିନାକ୍ଷୀ ସାଓ ଧନ୍ୟବାଦ ଅର୍ପଣ କରିଥିଲେ । ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଭାଗ ନେଇ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା ।

Leave A Reply

Your email address will not be published.