
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ଡୁଙ୍ଗୁରିପାଲି ବ୍ଲକ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେ.ଜି.ବି.ଭି ମାୟାବର୍ହାର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ମୌନାବତୀ ଜାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବରପାଲି କଳାଭୂମି ପ୍ରତିଷ୍ଠାତା ତଥା ଅବସର ପ୍ରାପ୍ତ ଅଧ୍ୟାପକ ରମାକାନ୍ତ ତ୍ରିପାଠୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଉଦ୍ଘାଟନ କରିବା ସହ ପାଠପଢ଼ା ସାଙ୍ଗକୁ ଜୀବନରେ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀ ତଥା ଅଭିଭାବକ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ଶିକ୍ଷୟିତ୍ରୀ ତୋଷମତୀ ଭୋଇ ବାର୍ଷିକ ବିବରଣୀ ପାଠ କରିଥିଲେ । ମାୟାବର୍ହା କ୍ଲଷ୍ଟରର ସିଆର୍ସିସି ସୌରଭ ସାହୁ ମୁଖ୍ୟ ଅତିଥି, ରାମପୁର ସିଆର୍ସିସି ପ୍ରଦୀପ୍ତ କିଶୋର ଦାଶ, ଅବସରପ୍ରାପ୍ତ ଶିକ୍ଷକ ଡାକ୍ତର ପତି, ଏସ୍ଏମ୍ସି ଚେୟାରପର୍ସନ ସୁଜାତା ବାଘ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟରେ ପ୍ରଥମ କରି ଆରୁଣୀ ବିଦ୍ୟାର୍ଥୀ-୨୦୨୫ ସମ୍ମାନ ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଶ୍ରୀ କିଶୋରୀ ମାଝୀଙ୍କୁ ପ୍ରଦାନ କରାଯାଇଥିଲା । କଳା ଶିକ୍ଷକ ଅବିନାଶ ମହାପାତ୍ର ସଭା ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷକ ସଦାନନ୍ଦ ପଧାନ, ଦୟାସାଗର ପଧାନ, ଶିକ୍ଷୟିତ୍ରୀ ଲକି ସାହୁ, ଖେଳଶିକ୍ଷକ ଚୈତନ୍ୟ ବାରିକ, ୱାର୍ଡେନ୍ ଚନ୍ଦ୍ରମା ମହାପାତ୍ର ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ ବିନୋଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାୟ ୨୭୦ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ ।