ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ରୋତସ୍ଵିନୀ ମାଝୀଙ୍କ ସଭାପତିତ୍ୱରେ ତଥା ସହକାରୀ ଶିକ୍ଷକ ଶ୍ରୀମୁଖ ଷାଣ୍ଢଙ୍କ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁରିବାହାଲ ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସଦର ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ସିଆର୍ସିସି ହୃଷୀକେଶ ଶିକା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନପତି ଷାଣ୍ଢ ସମ୍ମାନିତ ଅତିଥି ରୂପେ ଓ ମୁରିବାହାଲ ଡ଼ିଗ୍ରୀ କଲେଜର ବରିଷ୍ଠ ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ଅତିଥିମାନେ ଏକ ଅଞ୍ଚଳର ସାମଗ୍ରିକ ବିକାଶରେ ନିକଟସ୍ଥ ବିଦ୍ୟାଳୟର ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ମଜବୁତ୍ ରହିଲେ ଆମର ଉତ୍ତର ପିଢ଼ି ସଶକ୍ତ ହେବେ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭୈରବ ଚରଣ ମିଶ୍ରଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶିତ ଏକ ମନୋରଞ୍ଜନଧର୍ମୀ ନାଟକ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ଶିକ୍ଷକ ବିରଞ୍ଚି ନାରାୟଣ ଖମାରୀ, ଯଜ୍ଞକର ମେହେର, ବିନୋଦିନୀ ବଡୁ, ଦମୟନ୍ତୀ ରାୟ ଓ ୱାର୍ଡ ସଭ୍ୟ ବସନ୍ତ ଭୋଇ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ବାରିକ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ଜ୍ୟୋତିରଂଜନ ମିଶ୍ର, ଭୂଷଣ କୁମାର ନାଏକ, ଜୟକୃଷ୍ଣ ପାତ୍ର, ଯୁଧିଷ୍ଠିର ପଧାନ, ଶିକ୍ଷୟିତ୍ରୀ ସଂଯୁକ୍ତା ପଣ୍ଡା ଓ ଶୀତଳ ଦୀପଙ୍କ ସହ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାଝୀ ଧନ୍ୟବାଦ ଦେଇଥିଲେ ।