ଡେଲାଙ୍ଗ ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ଶନିବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ପ୍ରଧ୍ୟାପକ ସରୋଜ କୁମାର ବଳିୟାରସିଂହ ସଭାପତି ଭାବେ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡ଼କ୍ଟର ସମ୍ବିତ ପାତ୍ର, ପିପିଲି-ଡେଲାଙ୍ଗ ଜନପ୍ରିୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ମୁଖ୍ୟବକ୍ତା ରୂପେ ଡେଲାଙ୍ଗ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରତିଷ୍ଠାତା ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଅଭୟ ଚରଣ ରାଉତରାୟ ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭା ଉଦ୍‌ଘାଟନ କରିବା ସହିତ ମନ ମୁଗ୍ଧକାରୀ ଅଭିଭାଷଣ ପ୍ରଦାନ କରି ବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼କ୍ଟର ସରୋଜ କୁମାର ପଣ୍ଡା, ଅଧ୍ୟାପକ ତ୍ରିନାଥ ପରିଡା, ଶରତ ଚନ୍ଦ୍ର ରାଉତ, ପ୍ରାକ୍ତନ ଅଧ୍ୟାପକ ଘନଶ୍ୟାମ ସ୍ୱାଇଁଙ୍କ ସମେତ ଆମନ୍ତ୍ରିତ ଅତିଥି ବୃନ୍ଦ ଯୋଗଦେଇ ସଭାକୁ ଶୋଭାମଣ୍ଡିତ କରିଥିଲେ । ଅଧ୍ୟାପିକା ସୁମଞ୍ଜୁଳା ବିଶ୍ୱାଳ ଓ ଅଧ୍ୟାପକ ଜିତେନ୍ଦ୍ର କୁମାର ମଲ୍ଲିକ ସୁମଧୁର ଭାବରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ସଂଯୋଜନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ବଳିୟାରସିଂହ ସ୍ୱାଗତ ଭାଷଣ ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ । ଅଧ୍ୟାପିକା ତନ୍ମୟୀ ମହାପାତ୍ର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ମହାବିଦ୍ୟାଳୟରେ ଚଳିତ ବର୍ଷ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୦ଜଣ ଟପ୍ପର କୃତି ଛାତ୍ରଛାତ୍ରୀଙ୍କୁ ଶିକ୍ଷନୁଷ୍ଠାନ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଆର୍ଥିକ ସହାୟତା ସହ “ଦିଗନାଙ୍ଗ ସମ୍ମାନ -୨୦୨୫” ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏଥି ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରସଂଶା ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ମହବିଦ୍ୟାଳୟର ଅଧ୍ୟାପିକା ଗୀତାଞ୍ଜଳି ସାହୁ, ଭୂମିକା ଜାଲି, ଜଲି ସାହୁ, ସୁକାନ୍ତି ସେଠୀ, ଅଧ୍ୟାପକ ମନୋରଞ୍ଜନ ରଣସିଂହ, ରାକେଶ କୁମାର ସ୍ୱାଇଁ, ସୁମନ୍ନ ତରାଇ, ହେଡ଼ କ୍ଲର୍କ ଗଙ୍ଗାଧର ଜେନାଙ୍କ ସମେତ ସମସ୍ତ କର୍ମଚାରୀଗଣ ଉକ୍ତ ଉତ୍ସବରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ । ସଭାଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଉପସ୍ଥିତ ଥିବା ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ସମସ୍ତ କାର୍ଯ୍ୟକର୍ତ୍ତା, ଅଞ୍ଚଳବାସୀ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.