ଅଞ୍ଚଳ ମହାବିଦ୍ୟାଳୟରେ ୫୧ତମ ବାର୍ଷିକ କ୍ରୀଡ଼ା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ୫୧ତମ ବାର୍ଷିକ କ୍ରୀଡା ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ଏହି କ୍ରୀଡା ମହୋତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରି ଉଦ୍‌ଘାଟନ କରିଥିଲେ । ଖେଳ ଶିକ୍ଷକ ସଦାନନ୍ଦ ସାହୁ, କେଶବ ପ୍ରଧାନ, ଚନ୍ଦ୍ରମଣି ସାହୁ, ବିଦେଶୀ ସାହୁ, କ୍ଷୀରୋଦ୍ର ଦାଶ ଓ ଶିକ୍ଷିକା ନୀଳିମାରାଣୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ପ୍ରତିଯୋଗିତା ସୁଚାରୁ ରୂପେ ପରିଚାଳିତ ହୋଇଥିବା ବେଳେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷକ, କର୍ମଚାରୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ଉଦ୍‌ଯାପନୀ ସଭାରେ ସ୍ଥାନୀୟ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ କ୍ରୀଡା ସଂସଦର ଉପସଭାପତି ଷଡ଼ାନନ ଭୋଇ ବାର୍ଷିକ କ୍ରୀଡା ବିବରଣୀ ପାଠ କରିଥିଲେ । ଚଳିତ ବର୍ଷର କ୍ରୀଡା ପ୍ରତିଯୋଗିତାରେ +୩ ବିଭାଗରେ ଛାତ୍ରୀ କୁମ୍‌କୁମ୍‌ ଧରୁଆ ଓ ଛାତ୍ର ଶୁଭେନ୍ଦୁ ଭୋଇ ଚାମ୍ପିୟନ ହୋଇଥିବା ବେଳେ +୨ ବିଭାଗରେ ଛାତ୍ରୀ ସମୀକ୍ଷା ତ୍ରିପାଠୀ ଓ ଛାତ୍ର ଅନୁରାଗ ସ୍ୱାଇଁ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପୁରସ୍କୃତ ହୋଇଛନ୍ତି । ଶୃଙ୍ଖଳିତ କ୍ରୀଡା ପ୍ରଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଅଦମ୍ୟ ଉତ୍ସାହ ମଧ୍ୟରେ ଏହି ଏକଦିବସୀୟ କ୍ରୀଡା ଉତ୍ସବ ସଫଳତାର ସହ ଶେଷ ହୋଇଛି ।

Leave A Reply

Your email address will not be published.