ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଦିବାସୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡା ଉତ୍ସବ ଚାଲିଥିଲା । ହଠାତ୍ ପହଂଚିଗଲେ କ୍ରୀଡା ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଆଉ ଏହା ଦେଖି ଛାତ୍ରଛାତ୍ରୀ ମାନେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ମହାସମାରୋହରେ ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିରରୁ ଯଥାରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ପୂର୍ବକ ମଶାଲ ପ୍ରଜ୍ୱଳନ କରି ମିନିଷ୍ଟାଡ଼ିୟମ ପରିସରରେ ପହଞ୍ଚିବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଦୀପ ଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କ୍ରୀଡାର ଶୁଭାରମ୍ଭ କରିଥିଲେ । କ୍ରୀଡା ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଗସ୍ତ ସମୟରେ ମିନିଷ୍ଟାଡ଼ିୟମ ପରିସରରେ ପହଞ୍ଚିବାରୁ ମହାବିଦ୍ୟାଳୟ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମନ୍ତ୍ରୀ ଶ୍ରୀ ସୁରଜ କିଛି ସମୟ କ୍ରୀଡା ଉପଭୋଗ କରି ଫେରିଥିଲେ । ଉଦ୍ଘାଟନ ତଥା ପ୍ରଥମ ଦିନରେ +୨ ସ୍ତରରେ ୧୦ଟି ଏବଂ +୩ ସ୍ତରରେ ୧୦ଟି ବିଭିନ୍ନ କ୍ରୀଡା ଆୟୋଜିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଖେଳ ଶିକ୍ଷକ ଗଙ୍ଗାଧର ପଣ୍ଡାଙ୍କ ସମେତ ଦେବବ୍ରତ ସିଂ ଦେଓ, ଏଲିଆସ ଦିଗାଳ, ରୂପକ ନାୟକ, ହେମନ୍ତ ପାତ୍ର, ଗୌରବ ପ୍ରଧାନ, ରାଜେଶ ଦିଗାଳ, ଦେବେନ୍ଦ୍ର ଦଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
Prev Post