ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ଆର୍. ଖେଳ ପଡିଆରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ପ୍ରଦୀପ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡାର ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଶାରୀରିକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମି ବିଶ୍ୱାଲ ଯୋଗ ଦେଇ ଶିକ୍ଷା ସାଙ୍ଗକୁ କ୍ରୀଡାର ଆବଶ୍ୟକତା ନିହାତି ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଉଦ୍ଯାପନୀ ଉତ୍ସବରେ ବଲାଙ୍ଗିର ପୋରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପି.ଆର୍. ହାଇସ୍କୁଲର ଅତୀତରେ ଥିବା କ୍ରୀଡାବିଦ୍ ମାନଙ୍କ ଭୂୟସୀ ପ୍ରଶଂସା କରି ସେମାନଙ୍କ ଆଦର୍ଶ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ ଯୋଗଦେଇ ବଲାଙ୍ଗିର ଜିଲ୍ଲାର କ୍ରୀଡା କ୍ଷେତ୍ରରେ କୃତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍କୁଲ ପରିଚାଳନା କମିଟିର ସଭାପତି ବସନ୍ତ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଯୁବ କ୍ରୀଡା ଶିକ୍ଷକ ସୌରଭ ପ୍ରଧାନ ବାର୍ଷିକ କ୍ରୀଡା ବିବରଣୀ ପ୍ରଦାନ କରିଥିଲେ ଏବଂ ବରିଷ୍ଠ ଶିକ୍ଷକ ବିକାଶ ରଂଜନ ସାହୁ ମଂଚ ସଂଯୋଜନା କରିଥିଲେ । ଅନୁଷ୍ଠିତ କ୍ରୀଡା ଉତ୍ସବରେ ବରିଷ୍ଠ ବର୍ଗରେ ତୁଷାରକାନ୍ତ ମଲ୍ଲିକ ଏବଂ କନିଷ୍ଠ ବର୍ଗରେ ମୋହିତ ରୋହିଦାସ ଗ୍ର୍ରୁପ ଚମ୍ପିୟାନ ଭାବେ କୃତିତ୍ୱ ହାସଲ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ସିଦ୍ଧିପ୍ରଦା ପଣ୍ଡା ଓ ବର୍ଷାରାଣୀ ସାହୁ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀବୃନ୍ଦ ତଥା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଗୁରୁ ଛାତ୍ରମାନେ ସହଯୋଗ କରିଥିଲେ ।