ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଗତ ଦୁଇ ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ଗତ ରାତିରେ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଏଥିରେ ସହରର ସାଗରପଡା, ରୁଗୁଡିପଡା, ନାଲଖଣ୍ଡିପଡା, ତାଲପାଲିପଡା, ମାଲପଡା ସହିତ ଅନ୍ୟାନ୍ୟ ଅଞ୍ଚଳରେ ଘରଗୁଡ଼ିକକୁ ପାଣି ପଶି ଯାଇଥିବା ବେଳେ ଯୁଆଡେ ଦେଖିଲେ ଆଣ୍ଠୁଏ ପାଣି । ଅନ୍ୟପଟେ ବହୁତ ପରିବାର ପାଣି ପଶିବା ହେତୁ ଜଳବନ୍ଦୀରେ ରହିଥିବା ଦେଖିବାକୁ ମିଳିଥିବା ବେଳେ ଖବର ପାଇ ବଲାଙ୍ଗିର ପୌର ପରିଷଦର ପୌର ଅଧ୍ୟକ୍ଷା ଓ ଜରୁରୀକାଳୀନ କର୍ମଚାରୀମାନେ ଜଳବନ୍ଦୀ ଘେରା ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ସହ ସମସ୍ୟାର ଅତି ଶୀଘ୍ର ସମାଧାନ ଯେମିତି ହେବ ସେଥିପ୍ରତି ଦୃଷ୍ଟି ଦେଇ ଲାଗି ପଡିଥିଲେ ।