ପ୍ରବଳ ବର୍ଷାରେ ଦାଣ୍ଡପାଣି- ବଲାଙ୍ଗିର ରାସ୍ତା ବିଛିନ୍ନ

ବଲାଙ୍ଗିର, (କେପିଏନ୍‌ଏସ) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଶେଷକରି ଗ୍ରାମାଞ୍ଚଳର ରାସ୍ତାଗୁଡିକ ଜଳମଗ୍ନ ହେବା ସହିତ ଚାଷଜମି ଗୁଡିକ ପାଣି ଘେରରେ ରହିଛି । ସୂଚନା ଅନୁସାରେ ଲୋଇସିଂହା ବ୍ଲକର ଆଭ୍ୟନ୍ତରୀଣ ରତାଖଣ୍ଡି ପଂଚାୟତର ଦାଣ୍ଡପାଣି ଗ୍ରାମରୁ ତବଲବାଞ୍ଜି- ଗଡ଼ଶଙ୍କର ଡୁଙ୍ଗୁରିପାଲି-ବଲାଙ୍ଗିରକୁ ସଂଯୋଗ କରୁଥିବା ରାସ୍ତା ପ୍ରବଳ ବର୍ଷାରେ ଧୋଇ ହୋଇଯାଇଛି । ଫଳରେ ଏହି ରାସ୍ତା ଉପରେ ନିର୍ଭରଶୀଳ ଗ୍ରାମ ଗୁଡିକର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅତି ବିପଦଶଙ୍କୁଳ ଅବସ୍ଥାରେ ସ୍ଥାନୀୟ ଲୋକେ ତଥା ଗୃହପାଳିତ ପଶୁ ଗୁଡିକ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି । ସେହିପରି ବଲାଙ୍ଗିର ଜିଲ୍ଲା ପୂର୍ତ୍ତ ବିଭାଗ ତରଫରୁ ଉପରବାହାଲ- ଫଲସାମାଲ ନିର୍ମାଣାଧୀନ ରାସ୍ତାରେ ଥିବା ପୋଲ ଗୁଡିକୁ ଭାଙ୍ଗି ଦିଆଯାଇଥିବାରୁ ଏବେ ବର୍ଷା ଦିନରେ ସ୍ଥାନୀୟ ବାସିନ୍ଦା ବେଶ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଅଧାପନ୍ତରିଆ ଅବସ୍ଥାରେ ପୁର୍ତ୍ତ ବିଭାଗ ରାସ୍ତା କାମ ବନ୍ଦ କରି ଦେଇଥିବାରୁ ଏହି ରାସ୍ତାରେ ଚଳାଚଳ କରୁଥିବା ଏକମାତ୍ର ଘରୋଇ ବସସେବା ମଧ୍ୟ ବନ୍ଦ ହୋଇ ଯାଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.