ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଏକ ସମୀକ୍ଷା ବୈଠକ ହୋଇଯାଇଛି । ଏଥିରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର, ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ୬ଟି ବ୍ଲକର ବିଡିଓ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନେ ଯୋଗଦେଇଥିଲେ । ସାଂସଦଙ୍କ ଏହି ସମୀକ୍ଷା ବୈଠକରେ ପଦ୍ମପୁର ଉପଖଣ୍ଡର ସମସ୍ତ ବ୍ଲକ ଓ ଏନ୍‌ଏସିରେ ସାଂସଦ ପାଣ୍ଠିରୁ ଖର୍ଚ୍ଚ ହୋଇ ଯାହା ସବୁ ଜନହିତକର ପ୍ରକଳ୍ପ ଚାଲିଛି ସେସବୁର ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଭାଗୀୟ ଅଧିକାରୀମାନେ ସାଂସଦଙ୍କୁ ସମସ୍ତ ପ୍ରକଳ୍ପର ସ୍ଥିତି ବିଷୟରେ ଅବଗତ କରାଇଥିଲେ । ଯେଉଁ ପ୍ରକଳ୍ପ ଗୁଡ଼ିକର ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି ତାର ମୂଳକାରଣକୁ ଯାଇ ସମସ୍ୟାର ସମାଧାନ କରିବାକୁ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍ତି ଓ ଆବଶ୍ୟକ ସ୍ଥଳେ ନିଜେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ଯେଉଁ ପ୍ରକଳ୍ପ ସଂପୂର୍ଣ୍ଣ ହୋଇସାରିଛି ତାର ବିନିଯୋଗ ପତ୍ର ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତା’ ସହ ଯେଉଁ ପ୍ରକଳ୍ପ ଗୁଡ଼ିକ ଏବେ ସୁଦ୍ଧା ଆରମ୍ଭ ହୋଇନି ଯୁଦ୍ଧକାଳୀନ ଭିତ୍ତିରେ ସେ ସବୁକୁ ଆଗାମୀ ଜୁଲାଇ ୨୦ ତାରିଖ ସୁଦ୍ଧା ଆରମ୍ଭ କରାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସାଂସଦ ପାଣ୍ଠିରୁ ମଞ୍ଜୁର ସମସ୍ତ ପ୍ରକଳ୍ପର ନିର୍ମାଣକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ଓ ସେପ୍ଟେମ୍ବର ମାସରେ ଆଉ ଏକ ସମୀକ୍ଷା ବୈଠକ କରାଯିବ ବୋଲି କହିଛନ୍ତି । ଏହା ସହ ଏହି ପ୍ରକଳ୍ପ ଗୁଡ଼ିକର ସ୍ଥିତି ଉପରେ ନଜର ରଖିବା ପାଇଁ ସେ ଉପଜିଲ୍ଲାପାଳ ଶ୍ରୀ କୁମ୍ଭାରଙ୍କୁ ଅନୁରୋଧ କରିଛନ୍ତି । ଏହି ଜନହିତକର ପ୍ରକଳ୍ପ ଗୁଡ଼ିକ ଯେମିତି ଜନସାଧାରଣଙ୍କ ସେବାରେ ଶୀଘ୍ର ଲାଗିପାରିବ ସେଥିପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ସାଂସଦ ସମସ୍ତ ଅଧିକାରୀ ମାନଙ୍କୁ କହିଛନ୍ତି ।

Leave A Reply

Your email address will not be published.