
ଦାରିଙ୍ଗବାଡି : ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ କହୁଥିବା ବେଳେ ଅନ୍ୟପଟେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଅଭିଯୋଗ ଏକାଧିକ ଥର ଆସୁଥିଲେ ସୁଦ୍ଧା ଅଭିଯୋଗର ସମାଧାନ ହେଉନଥିବା ଅଭିଯୋଗ ହୋଇଛି । ଫଳରେ ପ୍ରହସନ ପାଲଟିଛି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି । ଏଭଳି ଅଭିଯୋଗ କରିଛନ୍ତି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସିଥିବା ଏକାଧିକ ବ୍ୟକ୍ତି । ସୋମବାର ଦାରିଙ୍ଗବାଡି ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିଲା । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ୧୩୩ ଗୋଟି ଅଭିଯୋଗ ଶୁଣିଥିଲେ । ୧୩୩ ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ୭୧ ଗୋଟି ହୋଇଥିବା ବେଳେ ୬୨ ଟି ସାମୁହିକ ଅଭିଯୋଗ ରହିଥିବା । ସିକରମାହାରେ ବସୁଧା ଯୋଜନାରେ ଜଳ ଯୋଗାଣ, ନେଟୱର୍କ ମରାମତି କାର୍ଯ୍ୟ ଓ ବିଦ୍ୟୁତ୍ ସଂଯୋଗ ନିମନ୍ତେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ୧୬ରୁ ଉର୍ଦ୍ଧ ଥର ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସମାଧାନ ହୋଇ ନଥିବା କରୁଣାକର ପ୍ରଧାନ ଅଭିଯୋଗ କରିଥିଲେ । ସେହିପରି ସରାମୁଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ମୁଠାମାଝୀ ସରାମୁଳି ପଞ୍ଚାୟତରେ ଲକ୍ଷ୍ମୀ ବସଷ୍ଟାଣ୍ଡ ଓ ହାଟପଦା ନିମନ୍ତେ ୫ ଥରରୁ ଉର୍ଦ୍ଧ ଥର ଅଭିଯୋଗ କରିଥିଲେ ଆଜି ପଂର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବା ଅଭିଯୋଗ କରିଥିଲେ । ବାଲିଗୁଡା ଥାନା ଅନ୍ତର୍ଗତ ବୁଡାଗୁଡ଼ା ଫାଣ୍ଡି କାର୍ଯ୍ୟକାରୀ କରିବା ସହ ଜିଓ ଟାୱାର ନିର୍ମାଣ କରିବା ନେଇ ୫ ଥର ଅଭିଯୋଗ ପ୍ରଦାନ କରିଥିଲେ ସୁଧା ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ନଥିବା ବୁଡ଼ାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନ ଅଭିଯୋଗ କରିଛନ୍ତି । ଏଭଳି ଭାବେ ପ୍ରତ୍ୟେକ ଅଭିଯୋଗ ଶୁଣାଣୀରେ ଲୋକେ ଅଭିଯୋଗ କରୁଥିଲେ ସୁଦ୍ଧା ଅଭିଯୋଗର ସମାଧାନ ଦିଗରେ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ଲୋକେ ଅଭିଯୋଗ ଶୁଣାଣିକୁ ବାରମ୍ବାର ଆସି ଅଯଥା ଖର୍ଚ୍ଚାନ୍ତ ହେବା ସହ ସମୟ ନଷ୍ଟ ହେଉଥିବା ଅଭିଯୋଗ କରିଥିଲେ । ଆଜିର ଅଭିଯୋଗ ଶୁଣାଣି ମଧ୍ୟରେ ସିମନବାଡ଼ି- ବୁଡାଗୁଡ଼ା ପୂର୍ତ୍ତ ବିଭାଗ ରାସ୍ତା ଶୀଘ୍ର ସମ୍ପୂର୍ଣ୍ଣ, ଦନେକବାଡ଼ି-ସିର୍କାବର୍ଗ ରାସ୍ତା ମରାମତି, ସିର୍କାବର୍ଗକୁ ପୂର୍ବ ଭଳି ୪ ଥର ବସ ଚଳାଚଳ, ଋଷିମାଳ ପର୍ଯ୍ୟଟନ ସ୍ଥଳୀକୁ ବିଦ୍ୟୁତ ସଂଯୋଗ ସହ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ, ଆତିନବାଡ଼ି ଗ୍ରାମକୁ ବିଦ୍ୟୁତ୍ ସଂଯୋଗ, ଦାରିଙ୍ଗବାଡିର ଅତିରିକ୍ତ ତହସିଲଦାର ନମିତା ପ୍ରଧାନ ମନମୁଖି ଭାବେ କାର୍ଯ୍ୟ କରୁଥିବା ଯୋଗୁଁ ତାଙ୍କ ବଦଳି, ଦାରିଙ୍ଗବାଡି ଲ୍ୟାମ୍ପରେ କାର୍ଯ୍ୟରତ ଏମଡିଙ୍କ କାର୍ଯ୍ୟ ଦକ୍ଷତା ଅଭାବ ଓ ଉଚ୍ଚ କତୃପକ୍ଷଙ୍କ ଇଚ୍ଛାଶକ୍ତି ଅଭାବ ହେତୁ ବିଭିନ୍ନ ଅନିୟମିତତା କାର୍ୟ୍ୟ ଯୋଗୁଁ ଜନ ସାଧାରଣ ଉଚିତ ସେବା ପାଇବାରୁ ବଞ୍ଚିତ ହେଉଥିବା ନେଇ ସଭାପତିଙ୍କ ସମେତ ସଦସ୍ୟମାନେ ଅଭିଯୋଗ କରିଥିଲେ । ସେହିପରି ଘରବାରି ଜମି ପ୍ରଦାନ, ଆବାସ ଯୋଜନାରେ ଗୃହ ପ୍ରଦାନ, ବିଦ୍ୟୁତ ଯୋଗାଣ, ବସୁଧା ଯୋଜନାରେ ଜଳ ଯୋଗାଣ,ମେଡ଼ିକାଲ ସହାୟତା, ଭଳି ଅଭିଯୋଗ ହୋଇଥିଲା । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏସପି ହରିଶ ବିଶି, ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଅତିରିକ୍ତ ସିଡିଏମଓ ଡ଼କ୍ଟର ଅକ୍ଷୟ ସାହୁ, ଡେପୁଟି କଲେକ୍ଟର ପୂର୍ଣ୍ଣ ଚନ୍ଦ୍ର ଜେନା, ବିଡ଼ିଓ ପ୍ରୀତି ରଞ୍ଜନ ରଥ, ତହସିଲଦାର ଶରତ ଶବରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତି ଥିଲେ ।