ଛତ୍ରପୁର ସହରର ଉନ୍ନୟନ ନିମନ୍ତେ ମୁକ୍ତା ଯୋଜନାରେ ୨ କୋଟି ୨୦ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ବିଭିନ୍ନ ଉନ୍ନୟନ ଦିଗରେ ପ୍ରଶାସନ ଚିନ୍ତାପ୍ରକଟ କରିଛି । ଏନେଇ ମଙ୍ଗଳବାର ଆପରାହ୍ଣରେ ଛତ୍ରପୁର ଏନ୍‌.ଏ.ସି.ର କଲ୍ୟାଣମଣ୍ଡପ ଗୃହରେ ସହରବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ତଥା ମୁକ୍ତା ଯୋଜନାରେ ୨୦କୋଟି ୨୦ଲକ୍ଷ ଟଙ୍କା ବଜେଟର ପ୍ରକଳ୍ପମାନ ସହରାଞ୍ଚଳ ପ୍ରଶାସନ ଏସ୍‌ଏଚ୍‌ଜି ମହିଳା ସଂଘ ଜରିଆରେ କାର୍ଯ୍ୟାଦେଶ ବିତରଣ କରିଛି । ଏପରିକି ଏହି ସବୁ କାର୍ଯ୍ୟାଦେଶଗୁଡିକ ଅଗଷ୍ଟ ମାସ ଶେଷ ସୁଦ୍ଧା କାର୍ଯ୍ୟ ସମ୍ପନ୍ନ କରିବାକୁ କୁହାଯାଇଛି । ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ ଯୋଗଦେଇ ସହରାଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟଗୁଡିକ ଉନ୍ନତମାନର ହେବା ଆବଶ୍ୟକ ବୋଲି ସୂଚାଇଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ଏନ୍‌.ଏ.ସି.କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପାରାଓ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ଓ ପରିଚାଳିତ କରିବା ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଦିନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୟନ ହୋଇଥିବା ୧୮ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରିଥିଲେ ।
ମୁକ୍ତା ଯୋଜନାରେ ଏବଂ ଅନ୍ୟାନ୍ୟ ଯୋଜନାରେ ଛତ୍ରପୁର ସହରାଞ୍ଚଳକୁ ସୌନ୍ଦର୍ଯ୍ୟକରଣ ସହ ରୂପାନ୍ତରିତ ଦିଗରେ ବିହିତ ପଦକ୍ଷେପ ପ୍ରଶାସନ ହାତକୁ ନେଇଛି ବୋଲି କୁହାଯାଇଛି । ଛତ୍ରପୁର ସାହରାଞ୍ଚଳର ବନ୍ଧ, ପୁଷ୍କରିଣୀ, ଓପେନ ଜିମ୍, ପାର୍କ, ଚିତ୍ତବିନୋଦନ ସ୍ଥଳ, ଶୌଚାଳୟ, ନାଳ, ରାସ୍ତାନିର୍ମାଣ ଆଦିର କାର୍ଯ୍ୟ ଯଥାଶୀଘ୍ର ତଥା ଅଗଷ୍ଟମାସ ଶେଷ ସୁଦ୍ଧା ସମ୍ପନ୍ନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.