ବାଦିମାଲ କୁଷ୍ଠାଶ୍ରମରେ ଚେତନା ପରିଷଦ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମାଜସେବା ଓ ମାନବିକତାର ଉଦ୍ଦେଶ୍ୟରେ ଚେତନା ପରିଷଦ ପଦ୍ମପୁର ପକ୍ଷରୁ ବାଦିମାଲ କୁଷ୍ଠାଶ୍ରମରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆଶ୍ରମବାସୀମାନଙ୍କୁ ବିଭିନ୍ନ ପ୍ରକାର ଆବଶ୍ୟକ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଚାଉଳ, ଡାଲି, ତେଲ ସହିତ ଦୈନିକ ଆବଶ୍ୟକତାର ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ତଥା ଖରାରୁ ରକ୍ଷା ପାଇବା ପାଇଁ ଛତା ଆଶ୍ରମରେ ବସବାସ କରୁଥିବା ରୋଗୀମାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ସେବାକାର୍ଯ୍ୟରେ ପରିଷଦର ସଭାପତି ହରିଶଙ୍କର ସିଂହ ଅଧ୍ୟକ୍ଷତା କରିଥିଲେ । ସେହିପରି ସଦସ୍ୟ ଭୂପେଶ କୁମାର ସାହୁ, ସମ୍ପାଦକ କିଶୋର ପାତ୍ର ଓ ମନୋଜ କୁମାର ମହାନ୍ତି ସହ ପରିଷଦର ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ଭାବେ ଉପସ୍ଥିତ ଥିଲେ । ସେମାନେ କୁଷ୍ଠାଶ୍ରମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବିଷୟରେ ଅବଗତ ହୋଇ ସହାନୁଭୂତି ପ୍ରକାଶ କରିଥିଲେ । ଏହିପରି ସେବାମୂଳକ ପଦକ୍ଷେପ ସମାଜରେ ସହଯୋଗ ଓ ସହାନୁଭୂତିର ମନୋଭାବକୁ ଆହୁରି ଦୃଢ଼ କରିଥାଏ ବୋଲି ସଭାପତି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମଟି ସମାଜସେବାର ଏକ ଉତ୍କୃଷ୍ଟ ଉଦାହରଣ ଭାବେ ସ୍ଥାନୀୟ ମହଲରେ ପ୍ରଶଂସିତ ହୋଇଛି । ସମାଜର ଅବହେଳିତ ଓ ଦୁର୍ବଳ ଶ୍ରେଣୀଙ୍କ ପାଇଁ ଏପରି ସେବାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.