ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ନୃସିଂହନାଥ ନିକଟରେ ଥିବା କୁଳିତା ଜାତିର ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଭୋଗ ମଣ୍ଡପ ଗୁରୁବାର ଭୋଗ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି । ଭୋଗ ବଣ୍ଟନ ପୂର୍ବରୁ ମନ୍ଦିର ପୂଜକ ପୂଜାପାଠ କରି ଦୀପ ଜଳାଇ ଥିବାବେଳେ ହାଡୁ ସାହୁ ଏହାକୁ ଶୁଭ ଉଦଘାଟନ କରିଥିଲେ । ଭୋଗ ପ୍ରସାଦ ଉଦଘାଟନ ପରେ ରାମଚଣ୍ଡୀଙ୍କୁ ଅନ୍ନଭୋଗ ଲାଗି ହୋଇଥିଲା ଓ ଅନ୍ନ ପ୍ରସାଦ ଭକ୍ତମାନଙ୍କୁ ମାଗଣାରେ ବଣ୍ଟନ କରାଯାଇଥିଲା । ପ୍ରସାଦରେ ଅରୁଆ ଭାତ, ଡାଲି ତରକାରୀ, ଖଟା (ଲେଥା )ଓ ଗୁଡରେ ପ୍ରସ୍ତୁତ ଖିରି କୁଳିତା ଭାଷାରେ( ଜଉ) ବଣ୍ଟା ଯାଇଥିଲା । ଲୋକେ ଆନନ୍ଦରେ ଦେବୀଙ୍କ ପ୍ରସାଦ ଭୋଜନ କରିଥିଲେ । ଏଥିରେ ବହୁତ ଜଣାଶୁଣା ଲୋକ ଏକତ୍ରିତ ହୋଇଥିଲେ । ଏନେଇ ରାମଚଣ୍ଡୀ ମନ୍ଦିର ପରିସରରେ ଏକ ସଭା କୁଳିତା ସମାଜର ବରିଷ୍ଠ ସଭ୍ୟ ଯୁବରାଜ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଥମରେ ଶୀଘ୍ର ବାବା ରଣେଶ୍ୱରଙ୍କ ମନ୍ଦିର ଶୀଘ୍ର ନିର୍ମାଣ କରାଯିବା ପାଇଁ ଆଲୋଚନା ହୋଇଥିଲା । ମନ୍ଦିରରେ ଅନ୍ନ ଭୋଗ ବିକ୍ରୟ ଦର ୭୦/ଟଙ୍କା ରଖାଯିବା ନେଇ ଆଲୋଚନା ହେଲା । ମନ୍ଦିର ପାଚେରୀ ଚାରିପଟେ ଗଛ ଶୀଘ୍ର ଲଗାଯିବା ନେଇ ପ୍ରସ୍ତାବ ନିଆ ଗଲା ଓ ପୂଜା ପାଇଁ ଦରକାରୀ ଫୁଲଗଛ ଶୀଘ୍ର ଲଗାଯିବା ପାଇଁ ସଭା ସ୍ଥିର କଲା । ଶେଷରେ ଚିତ୍ତରଞ୍ଜନ ପ୍ରଧାନ ଧନ୍ୟବାଦ ଦେଇଥିଲେ । ସଭାରେ ଡାକ୍ତର ବୁଲୁ ବାରିକ, ବିନୋଦ ବିଶ୍ୱାଳ, ହାଡୁ ସାହୁ, ଲିଙ୍ଗରାଜ ପଧାନ, ହୃଦାନନ୍ଦ ଭୋଇ, ମନୋଜ ବାରିକ, କେଶବ ସାହୁ, ଯୋଗେନ୍ଦ୍ର ଭୋଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
