
ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ତାରିଖ ୦୧.୦୪.୨୦୨୫ ଠାରୁ ୧୪.୦୪.୨୦୨୫ ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ଅନୁସାରେ ୦୭.୦୪.୨୦୨୫ ସୋମବାର ଦିନ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ବର୍ଣ୍ଣବୋଧ ବଣ୍ଟନ ସହ “ବର୍ଣ୍ଣବୋଧ ଉତ୍ସବ” ପାଳନ କରାଯାଇଛି । ଓଡିଆ ଭାଷା ପ୍ରତିଷ୍ଠାନ, ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଇଥିବା ଏହି ବର୍ଣ୍ଣବୋଧ ପୁସ୍ତକ ପ୍ରଥମ ପର୍ଯ୍ୟାୟରେ ବାରିପଦା ବ୍ଲକ ଏବଂ ଶୁଳିଆପଦା, ବାଙ୍ଗ୍ରିପୋଷି ଓ ସାରସକଣା ବ୍ଲକର ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ସୀମାକୁ ଲାଗି ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ଯୋଗାଇ ଦିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ଯୋଗାଇ ଦିଆଯିବ । ଏହି ନୂତନ ବର୍ଣ୍ଣବୋଧଟି ୧୯୦୧ ସଂସ୍କରଣର ଏକ ନୂତନ ସଂସ୍କରଣ । ଏ ପୁସ୍ତକ ଓଡିଆ ଜାତିର ମନ ଓ ମାଟି ସହ ଅଙ୍ଗାଙ୍ଗୀ ଭାବରେ ଜଡିତ । ଶିଶୁ ଓ ଶିକ୍ଷକ ଗହଣରେ ଏହା ବିଶେଷ ଆଦୃତ ହେବାର ଆଶା ରଖି ଏହି ପୁସ୍ତକ ବଣ୍ଟନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ଜଣାଇଛନ୍ତି । ଆଜି ପାଳିତ ହୋଇଥିବା ଏହି ବର୍ଣ୍ଣବୋଧ ଉତ୍ସବରେ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ସରକାର, ଯଶିପୁର ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାହାର୍ଦ୍ଦାପଳସା ଠାରେ ଯୋଗଦେଇ ପିଲାଙ୍କୁ ବର୍ଣ୍ଣବୋଧ ବଣ୍ଟନ କରିବା ସହ ସେମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ । ମନ୍ତ୍ରୀ ଏହି ଅବସରରେ “ବର୍ଣ୍ଣବୋଧ ମାତୃଭାଷା ଶିକ୍ଷଣର ମୂଳଦୁଆ ଓ ଏହାର ବହୁଳ ବ୍ୟବହାର ମାତୃଭାଷାକୁ ଅଧିକ ଋଦ୍ଧିମନ୍ତ କରିବ” ଏହା ମତବ୍ୟକ୍ତ କରିଥିଲେ । ସେହିଭଳି ବାରିପଦା ସ୍ଥିତ ଆରତୀ ବିଦ୍ୟାମନ୍ଦିର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ସମଗ୍ର ଶିକ୍ଷା, ମୟୂରଭଞ୍ଜ କାର୍ଯ୍ୟାଳୟର ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି ଓ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ, ନିରଞ୍ଜନ ନାୟକ ଯୋଗଦେଇ ପିଲାଙ୍କୁ ବର୍ଣ୍ଣବୋଧ ବଣ୍ଟନ କରିବା ସହ ବର୍ଣ୍ଣବୋଧ ପୁସ୍ତକ ପଠନ ନିମନ୍ତେ ଉତ୍ସାହିତ କରିଥିଲେ ।