ବଲାଙ୍ଗିର, (କେପିଏନ୍ଏସ୍) : ବିଶ୍ୱ ହିନ୍ଦୁ ପରିଷଦ ବଲାଙ୍ଗିର ପ୍ରଚାର ପ୍ରସାର ବିଭାଗ ତରଫରୁ ସ୍ଥାନୀୟ ଅମଲା ଭବନରେ ଏକ ବନ୍ଧୁମିଳନ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରଚାର ପ୍ରମୁଖ ପବିତ୍ର କୁମାର ଦାଶଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସାମିଲ୍ ରହିଥିଲେ । ସହରର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆଜି ସଫଳ ହୋଇଥିବା କୁହାଯାଇଛି । ରାମ ମନ୍ଦିର ପ୍ରତିଷ୍ଠା ସମୟରେ ଗଣମାଧ୍ୟମ ବିଶେଷ ଭୂମିକା ନେଇଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରଚାର ପ୍ରମୁଖ ଶ୍ରୀ ଦାଶ କହିଛନ୍ତି । ହିନ୍ଦୁ ବିରୋଧୀ କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣିବା ପାଇଁ ଅଧିକ ପ୍ରଚେଷ୍ଟା କରିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଅନୁରୋଧ କରିଛନ୍ତି । ଗୋରୁଚାଲାଣ ବନ୍ଦ କରିବା ଦିଗରେ ଆଗାମୀ ସମୟରେ ବିଶ୍ୱ ହିନ୍ଦୁ ପରିଷଦ ବିଶେଷ ଦୃଷ୍ଟି ଦେବ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଛି ।