ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ସ୍ଥିତ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଛତ୍ରପୁର ନିୟୁ-ବସଷ୍ଟାଣ୍ଡ ପରିସରରେ ସ୍ୱଚ୍ଛତା ଅଭିଯାନ ସମ୍ପର୍କିତ କର୍ମଶାଳା, ସ୍ୱଚ୍ଛତା ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସହରାଞ୍ଚଳରେ ନିୟୋଜିତ ସଫେଇ କର୍ମଚାରୀମାନଙ୍କ ଦକ୍ଷତାକୁ ପ୍ରତିପାଦନ କରାଯାଇ ସ୍ୱଚ୍ଛତା ସମ୍ମାନରେ ଅନେକ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଛି । ଏହି ଅବସରରେ ଆଇସିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୪% ମାର୍କ ରଖି ଓଡ଼ିଶା ଟପର୍ ହୋଇଥିବା କାରମେଲ୍ ସିନିୟର ସେକେଣ୍ଡେରୀ ସ୍କୁଲ୍ର ଛାତ୍ର ତଥା ଛତ୍ରପୁର ଏନ୍ଏସି ପାଇଁ ଗୌରବ ଆଣିଥିବା ଏହି ମାଟିର ପୁଅ ଶ୍ରୀମାନ ବିଷ୍ଣୁ ପ୍ରସାଦ ଶତପଥୀଙ୍କୁ ମାନପତ୍ର ସହ ଉପଢୌକନରେ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପାରାଓ, ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ତଥା ବଡ଼ଖାନାର ଆୟୋଜନ ହୋଇଥିଲା । ସମାଜସେବୀ ତଥା ଆଡଭୋକେଟ କେ.ଚନ୍ଦ୍ରଶେଖର ରେଡ୍ଡୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ସ୍ୱଚ୍ଛସାଥୀ, ମହିଳା ସ୍ୱୟଂସହାୟିକା ଗୋଷ୍ଠୀ, ସମସ୍ତ କାଉନ୍ସିଲର ବୃନ୍ଦ ଛତ୍ରପୁର ଏନ୍ଏସିର କର୍ମଚାରୀ, ଷ୍ଟାଫ୍ ଏଥିରେ ଅଂଶଗ୍ରହଣ କରିଥିଲେ ।