୧୯୭୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ୧୯୭୩ ମାଟ୍ରିକ୍ ବ୍ୟାଚ୍‌ ସହପାଠୀମାନଙ୍କର ଏକ ବନ୍ଧୁ ମିଳନ ପର୍ବ ଶୁକ୍ରବାର ଦିନ ଗଡକାଳୁ ପଡାସ୍ଥିତ ବାବା ବିଶ୍ଵନାଥ ଦେବଙ୍କ ପାହାଡ ପାଦଦେଶରେ ଅବସ୍ଥିତ ଗଡଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୭୩ ମାଟ୍ରିକ୍‌ ବ୍ୟାଚ୍‌ର ୩ରୁ ଅଧିକ ସହପାଠୀ ଯୋଗଦେଇ କେକ୍ କାଟି ଏହି ମିଳନ ପର୍ବର ଉଦ୍‌ଘାଟନ କରିବା ସହ ପରସ୍ପର ମଧ୍ୟରେ ସୁଖଦୁଃଖ ବାଣ୍ଟିଥିଲେ । ଏହି ଅବସରରେ ପୂରାତନ ଛାତ୍ର ସୂର୍ଯ୍ୟନାରାୟଣ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସହପାଠୀ ପ୍ରମୋଦ କୁମାର ରଥ, ସଚ୍ଚିଦାନନ୍ଦ ପ୍ରଧାନ, ପ୍ରସନ୍ନ କୁମାର ସିଂହ, କରୁଣାକର ମହାରଣା, ବିଚିତ୍ରାନନ୍ଦ ଲେଙ୍କା, କୁଞ୍ଜବିହାରୀ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ଚମ୍ପତ୍ତି, ଭାସ୍କର ପ୍ରଧାନ, ହେମନ୍ତ ହରିଚନ୍ଦନ, ସୁରେନ୍ଦ୍ର ଜେନା ଓ ପୂର୍ଣ୍ଣେନ୍ଦୁ ପରିଡ଼ା ପ୍ରମୁଖ ଯୋଗଦେଇ ବିଗତ ଦିନର ସୁମଧୁର ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସୁଜନପୁର ଗ୍ରାମର ଦିବଂଗତ ସହପାଠୀ ପୂର୍ଣ୍ଣଚନ୍ଦ୍ର ବେହେରା, ପୁରୁଣା ଡେଲାଙ୍ଗ ଗ୍ରାମର ଦିବଂଗତ ସାଥୀ ଚନ୍ଦ୍ରଶେଖର ବେହେରା ଏବଂ ଦିବଂଗତ ଗୁରୁଜୀ ଓ ଗୁରୁମାମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପୁରାତନ ଛାତ୍ର ରତ୍ନାକର ମାଟି କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ଵ ତୁଳାଇଥିଲେ । ଆଗାମୀ ଦିନରେ ସମାଜର ବିକାଶ ଦିଗରେ ବିଭିନ୍ନ ସାମାଜିକ କାର୍ଯ୍ୟ ନିର୍ବାହ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସରସସୁନ୍ଦର ଭାବେ ପରିଚାଳନା କରିବା ଦିଗରେ ସହଯୋଗ କରିଥିବାରୁ ପୂରାତନ ଛାତ୍ର ଅର୍ଜ୍ଜୁନ ଶ୍ରୀଚନ୍ଦନ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ସମସ୍ତ ସହପାଠୀମାନଙ୍କୁ ସ୍ଵାଦିଷ୍ଟ ପ୍ରସାଦ ସେବନ ଦ୍ଵାରା ଆପ୍ୟାୟିତ କରାଯାଇଥିଲା ।

jittmm
Leave A Reply

Your email address will not be published.