ତେଲେଙ୍ଗାନାରୁ ଶ୍ରମିକ ମୁକ୍ତ : ଲାଠୋରରେ ବନ୍ଧକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତର ଲହଙ୍ଗେର ଗ୍ରାମର ୧୫ ଜଣ ଦାଦନ ଶ୍ରମିକ ମହିଳା ଓ ପୁରୁଷ ତେଲେଙ୍ଗାନା ରାଜ୍ୟରୁ ମୁକୁଳି ଆସିବା ପରେ ଏବେ ୪ ଜଣ ଶ୍ରମିକଙ୍କୁ ବଲାଙ୍ଗିର ଜିଲ୍ଲା ଲାଠୋର ଠାରେ ଦାଦନ ସ‌ର୍ଦ୍ଦାର ମଜିଦ୍ ଖାଁ ବନ୍ଧକ ରଖି ଟଙ୍କା ଫେରସ୍ତ ଦାବୀ କରିବା ବିଷୟ ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଲହଙ୍ଗେର ଗ୍ରାମର ୧୫ ଜଣ ମହିଳା ପୁରୁଷ ଓ ଛୋଟ ଶିଶୁ ମାନେ ତେଲେଙ୍ଗାନା ରାଜ୍ୟର ପଦୋପଲ୍ଲୀ ଜିଲ୍ଲା ଅନ୍ତର୍ଗତ ଗରୁଡପେଟ ଇଟାଭାଟି ଦୀର୍ଘ ଦିନ ଧରି କାର୍ୟ୍ୟ କରୁଥିଲେ ମଧ୍ୟ ଇଟାଭାଟି ମାଲିକ ସେମାନଙ୍କୁ ଘରକୁ ଛାଡୁ ନଥିଲା । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏ ବିଷୟରେ ଶ୍ରମ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମାଜସେବୀ ଦିବସ ସାହୁ ମଧ୍ୟ ଟ୍ବିଟ ଯୋଗେ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ୧୫ଜଣ ଶ୍ରମିକ ଉଦ୍ଧାର ହୋଇ ଗାଁକୁ ଫେରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ଲାଠୋର ଠାରେ ଦାଦନ ସ‌ର୍ଦ୍ଦାର ମଜିଦ୍ ଖାଁ ୪ ଜଣ ଦାଦନ ଶ୍ରମିକ ବନିତା ଶିକା, ରବି ଶିକା, ବେବାର ତାଣ୍ତି ଓ ପ୍ରସନ୍ନ ତାଣ୍ତିକୁ ଟ୍ରେନ୍‌ରୁ ଓହ୍ଲାଇ ଅନ୍ୟମାନଙ୍କୁ ଛାଡି ଦେଇଛି । ୧ ଲକ୍ଷ ଟଙ୍କା ମୋ’ ଠାରେ ଜମା ଦେଲେ ଯାଇ ଏହି ଶ୍ରମିକମାନେ ଘରକୁ ଯିବେ ବୋଲି ସର୍ଦ୍ଦାର ଶ୍ରୀ ଖାଁ କହୁଥିବା ବେଳେ ସାନ ତାଣ୍ତି, ବିଶାଖା ତାଣ୍ତି, ବିଜୟ ତାଣ୍ତିଙ୍କୁ ଧମକ ଦେଇଥିବା ଶ୍ରମିକ ମାନେ ପ୍ରକାଶ କରିଛନ୍ତି । ତୁରନ୍ତ ଦାଦନ ସଦ୍‌ର୍ଦ୍ଦାର ଠାରୁ ଏମାନଙ୍କୁ ମୁକ୍ତ କରିବା ପାଇଁ ଅନ୍ୟମାନେ ଆକୁଳ ନିବେଦନ କରିଛନ୍ତି ।

Leave A Reply

Your email address will not be published.