
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆର୍ଯ୍ୟପଲ୍ଲୀ ଗାଆଁ ସମୁଦ୍ର ନିକଟତର ହେବାରେ ଲାଗିଛି । ସମୁଦ୍ରକୂଳ ଲଙ୍ଘିବାରେ ଲାଗିଛି । ଏହି ସମସ୍ୟାର ସମ୍ମୁଖୀନ ହୋଇ ଏହି ଅଞ୍ଚଳର ଅଧିବାସୀ ବହୁବାର ପ୍ରଶାସନଠାରେ ଅଭିଯୋଗ କରି ସୁଦ୍ଧା ଆର୍ଯ୍ୟପଲ୍ଲୀ ବାସୀ ବହୁ ହନ୍ତସନ୍ତ ହୋଇଗଲେ । ଏଥିରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଓ ଜିଲ୍ଲା ପ୍ରଶାସନର ନୀରବତାକୁ ନେଇ ମତ୍ସ୍ୟଜୀବୀମାନେ ୫ ଦଫା ଦାବି ନେଇ ମଙ୍ଗଳବାର ଦିନ ତମାମ ଆନ୍ଦୋଳନରେ ବସିଥିବା ବେଳେ ଛତ୍ରପୁର ବିଧାୟକଙ୍କ ହସ୍ତକ୍ଷେପ ପରେ ସମସ୍ୟା ସମାଧାନର ସୂତ୍ର ବାହାରିଥିବା କୁହାଯାଏ । ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରତଶ୍ରୁତି ମିଳବା ପରେ ଧାରଣା ଓ ବିକ୍ଷୋଭ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି । ଦୀର୍ଘ ବର୍ଷ ଧରି ବିଜେଡି ସାଶନ ଅମଳରେ ସମୁଦ୍ର କୂଳ ଲଙ୍ଘିବା ଠାରୁ ଆରମ୍ଭ କରି ଜେଟି ଖନନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ କୌଣସି ଧ୍ୟାନ ନ ଦିଆଯିବା ଏକ ନିନ୍ଦନୀୟ ଘଟଣା ବୋଲି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟାକୁ ଦୃଷ୍ଟି ଆକର୍ଷଣ ସ୍ୱରୂପ ୫ଦଫା ଦାବି, ବନ୍ଦର କର୍ତ୍ତୃପକ୍ଷ କେବେବି ଶୁଣୁନଥିବା ଅଭିଯୋଗ ହୋଇ ଆସୁଥିଲା ଏନେଇ ଆର୍ଯ୍ୟପଲ୍ଲୀବାସୀରେ ସମୁଦ୍ର କୁଳ ଲଂଘିବା, କୂଳ-ଖାଇବା ଦିଗରେ ପୋର୍ଟ କର୍ତ୍ତୃପକ୍ଷ କର୍ଣ୍ଣପାତ ନକରିବା, ଅବା ଡ୍ରେଜିଙ୍ଗ ନ କରିବା ଯୋଗୁଁ ଆର୍ଯ୍ୟପଲ୍ଲୀ ବସ୍ତି ବାସିନ୍ଦାଙ୍କ ସମେତ ଆଖପାଖ ୨୭ଟି ଗାଁର ମତ୍ସ୍ୟଜୀବୀମାନେ ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇଆସୁଛନ୍ତି । ଆର୍ଯ୍ୟପଲ୍ଲୀ ଗାଁ ନିକଟରେ ସମୁଦ୍ର କୂଳ ଖାଉଥିବା ଯୋଗୁଁ ଗାଁ ନିକଟରେ ପଥରବନ୍ଧ ନିର୍ମାଣ ନେଇ ଦୀର୍ଘ ବର୍ଷ ହେଲା ଗ୍ରାମବାସୀ ମାନେ ଦାବି କରି ଆସୁଛନ୍ତି । ଏନେଇ ପୋର୍ଟ କର୍ତ୍ତୃପକ୍ଷ କୈାଣସି ପଦକ୍ଷେପ ନ ନେବା ଯୋଗୁଁ ଏହି ଆନ୍ଦୋଳନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରକାଶ ଥାଉକି, ସମୁଦ୍ରରୁ ଗାଁକୁ ମାତ୍ର ଆଉ ୫୦ମିଟର ଦୂରତା ମଧ୍ୟରେ ଆର୍ଯ୍ୟପଲ୍ଲୀ ଗାଁ ରହିଛି । ସେହିପରି ଗୋପାଳପୁର ପୋର୍ଟ ଡ୍ରେଜିଙ୍ଗ ତଥା ନିୟମିତ ଭାବେ ନ ଖୋଳିବା ଯୋଗୁଁ ବାଲି ମୁହାଣକୁ ମାଡ଼ି ଆସୁଛି । ଯାହାଫଳରେ ଡ଼ଙ୍ଗା ଚଳାଚଳରେ ମତ୍ସ୍ୟଜୀବୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଦାବି ସମ୍ପର୍କରେ ବାରମ୍ବାର ମତ୍ସ୍ୟଜୀବୀମାନେ ଜିଲ୍ଲା ପ୍ରଶାସନ ଓ ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । କିନ୍ତୁ କୈାଣସି ସୁଫଳ ନ ମିଳିବାରୁ୨୭ ଖଣ୍ଡ ଗାଁର ମତ୍ସ୍ୟଜୀବୀ ମାନେ ମଙ୍ଗଳବାର ଆନ୍ଦୋଳନ ପାଇଁ ଡାକରା ଦେଇଥିଲେ । ଆନ୍ଦୋଳନ ନେଇ ସୂଚନା ପାଇବା ପରେ ସୋମବାର ସନ୍ଧ୍ୟା ସମୟରେ ଜିଲ୍ଲା ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଗ୍ରାମବାସୀ ମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ । ହେଲେ ଏହି ଆଲୋଚନା ବିଫଳ ହୋଇଥିଲା । ତେବେ ମଙ୍ଗଳବାର ସକାଳୁ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ୫ ଦଫା ଦାବୀ ନେଇ ଆର୍ଯ୍ୟପଲ୍ଲୀ ଗ୍ରାମପଞ୍ଚାୟତ ଓ ୨୭ ଖଣ୍ଡ ଗ୍ରାମର ମତ୍ସ୍ୟଜିବୀମାନେ ଫାଟକ ସମ୍ମୁଖରେ ବିରାଟ ଗଣ ଧାରଣାରେ ବସିଥିଲେ । ଆର୍ଯ୍ୟପଲ୍ଲୀ ଗ୍ରାମବାସୀଙ୍କର ବିଭିନ୍ନ ସମସ୍ୟା ର ଓ ଦାବି ସମ୍ପର୍କିତ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ, ପ୍ରଶାସନ ଓ ଆର୍ଯ୍ୟପଲ୍ଲୀ ଗ୍ରାମବାସୀଙ୍କ ଉପସ୍ଥିତିରେ ବୀର୍ଘ ସମୟ ଧରି ଆଲୋଚନା ହୋଇ ସୁଫଳ ମିଳିପାରିନଥୁଲା । ଏହା ପରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରି ସମାଧାନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହାପରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଁଚିବା ପରେ ଗ୍ରାମପଞ୍ଚାୟତ ଭଦ୍ରମଣ୍ଡଳୀ, ମାନ୍ୟବର ବିଧାୟକ, ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ୨୭ ଗ୍ରାମବାସୀମାନଙ୍କର ବିଭିନ୍ନ ସମସ୍ୟା ଓ ଦାବୀ ଗୁଡିକର ସ୍ଥିତି ଏବଂ ଅଗ୍ରଗତି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଦୀର୍ଘ ସମୟର ଧରି ବିସ୍ତୃତ ଆଲୋଚନା ପରେ ସମାଧାନର ବାଟ ବାହାରିଥିଲା । ନିଷ୍ପତ୍ତି ପ୍ରକାରେ ପରିବେଶ ମଞ୍ଜୁରୀ ପାଇବା କ୍ଷଣି ୯ ଗୋଟି ପଥର ବନ୍ଧ କାର୍ଯ୍ୟ ଆରମ୍ଭ କରାଯିବ । ଏହି କାମ କରିବା ପାଇଁ ଏକ ଘରୋଇ ସଂସ୍ଥାକୁ ନିୟୋଜିତ କରାଯାଇଛି ଏବଂ ବନ୍ଦର କର୍ତ୍ତୃପକ୍ଷ ଉପରୋକ୍ତ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହା ସହ ଅଗଷ୍ଟ ୩୦ ତାରିଖ ସୁଦ୍ଧା ମତ୍ସ୍ୟଜୀବୀ ମାନଙ୍କ ଯିବା ଆସିବା କେନାଲକୁ ଡ୍ରେଜିଙ୍ଗ କରି ଜେଟି ଅଞ୍ଚଳରେ ଲାଇଟ, ପାନୀୟ ଜଳ ସୁବିଧା ସହ ଫିସେରୀ ଜେଟିର ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଥିବା ପୁରୁଣା କାନ୍ଥ ଗୁଡିକ ସଫା କରିଯିବା ,ନୂତନ ଫିସେରୀ ଜେଟି ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧା କରାଯିବ ବୋଲି ବିଧାୟକ କହିଥିଲେ । ଏହି ସମସ୍ତ ନିଷ୍ପତ୍ତି ବିଧାୟକଙ୍କ ଉପସ୍ଥିତି ଏବଂ ବିଧାୟକଙ୍କ ଯୋଗୁ ବନ୍ଦର କର୍ତ୍ତୃପକ୍ଷ ଉକ୍ତ ଦାବିରେ ରାଜି ହୋଇଥିବା ବେଳେ ୨୭ଖଣ୍ଡ ଗ୍ରାମର ମତ୍ସ୍ୟଜୀବିଗଣ ବିଧାୟକଙ୍କ ଉପସ୍ଥାପାନ କରିଥିବାରୁ ତାଙ୍କୁ ମତ୍ସ୍ୟଜୀବିଗଣ ଧନ୍ୟବାଦ ଦେଇଥିଲେ ।