କଂଗ୍ରେସର ବନ୍ଦ ଡ଼ାକରା : ଆସନ୍ତା କାଲି ସକାଳ ୭ ରୁ ୧ ପର୍ଯ୍ୟନ୍ତ ୬ ଘଣ୍ଟା ବନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତାକାଲି ସୋମବାର ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ୟ୍ୟନ୍ତ କଂଗ୍ରେସ ଦଳ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ସହ ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ୟ୍ୟାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କ ଅପାରଗତା ବିରୁଦ୍ଧରେ ଏହି ୬ ଘଂଟିଆ ବନ୍ଦ ଡ଼ାକରା ଦିଆଯାଇଥିବା ଦଳ କହିଛି । ଆଜି ସାନ୍ଧ୍ୟରେ କଂଗ୍ରେସ ଦଳ ତରଫରୁ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭମାନ ଆୟୋଜନ କରାଯାଇଛି । ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ସଚେତନ ନାଗରିକ ଏହି ଆନ୍ଦୋଳନକୁ ସହଯୋଗ, ସମର୍ଥନ ଦେବା ସହ ଆନ୍ଦୋଳନରେ ସକ୍ରୀୟ ସାମିଲ ହେବା ପାଇଁ କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି । ତେବେ ଏହି ବନ୍ଦ ସମୟରେ ଅତ୍ୟାବଶ୍ୟକ ଜରୁରୀ ସେବା ଆମ୍ବୁଲାନ୍ସ, କ୍ଷୀର ଗାଡି, ପରୀକ୍ଷାର୍ଥୀ, ଗଣମାଧ୍ୟମ ଇତ୍ୟାଦିକୁ ବାଦ ଦିଆଯିବ ବୋଲି କଂଗ୍ରେସ ସ୍ପଷ୍ଟ କରିଛି । ପ୍ରକାଶ ଥାଉକି ଉପା ସରକାର ସମୟରେ ପେଟ୍ରୋଲ ଓ ଡିଜେଲ ଅନ୍ତର୍ଜାତିୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରୁ ୧୩୦ ଡଲାର ଥିବାବେଳେ ଜନସାଧାରଣ ୮୦ ଟଙ୍କାରୁ କମ୍ ମୂଲ୍ୟରେ ପେଟ୍ରୋଲ, ଡିଜେଲ କିଣୁଥିଲେ । ମାତ୍ର ବତ୍‌ର୍ତମାନ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୬୦ ଡଲାରରୁ କମ୍ ଥିବା ବେଳେ ଓଡିଶାରେ ପେଟ୍ରୋଲର ଦର ୯୦ ଟଙ୍କା ଛୁଇଁଥିବା ବେଳେ ଡିଜେଲ୍ ୮୭ ଟଙ୍କାରେ ପହଂଚିଛି । ଫଳରେ ଜନସାଧାରଣ ଅତିଷ୍ଠ ହୋଇପଡିଛନ୍ତି । ଯଦ୍ୱାରା ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହେବା ସହ ଗରିବ, ମଧ୍ୟବିତ, ଶ୍ରମିକ ଶ୍ରେଣୀ, ଚାଷୀ ଭାଇମାନେ ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି । କଂଗ୍ରେସ ତରଫରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଏ ସଂକ୍ରାନ୍ତରେ ପତ୍ର ମାଧ୍ୟମରେ ୧୦ ଟଙ୍କା ଲିଟର ପ୍ରତି ଦର ହ୍ରାସ କରି ଜନତାଙ୍କ ଉପରୁ ବୋଝ ହଟାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଅତି ଚିନ୍ତାଜନକ ପରିସ୍ଥିତି ସତ୍ୱେ ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ମୌନ ରହିବା ଓଡିଶାବାସୀଙ୍କୁ ଚକିତ କରିଛି । ସେହିପରି ଅଚ୍ଛେଦିନ୍‌ର ସ୍ଲୋଗାନ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ କ୍ୟାବିନେଟ୍‌ର ତୈଳ ଓ ଗ୍ୟାସ୍ ମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ପ୍ରତାରିତ କରିଛନ୍ତି । ବର୍ତମାନ ପ୍ରତ୍ୟେକ ଲିଟର ପିଛା କ୍ରେତାଙ୍କୁ ୫୦ ଟଙ୍କାରୁ ଉର୍ଦ୍ଧ୍ୱ ଟ୍ୟାକ୍ସ ଦେବାକୁ ପଡିବା ଘଟଣା ଉଭୟ ସରକାରଙ୍କ ଅସଲ ଚିତ୍ର, ଚେହେରା, ଚରିତ୍ର ଓ ଚାଲ୍‌କୁ ପଦାରେ ପକାଇଛି ବୋଲି କଂଗ୍ରେସ କହିଛି ।

Leave A Reply

Your email address will not be published.