ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବୀରେ ଆସନ୍ତା ଗୁରୁବାର ୧୨ ଘଣ୍ଟିଆ ଟିଟିଲାଗଡ ବନ୍ଦ ଡାକରା ଦେଲା ଜିଲ୍ଲା କ୍ରିୟାନୁଷ୍ଠାନ କମିଟି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର କୋର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଦାବୀ ସମ୍ପର୍କରେ ଆଗାମୀ କାର୍ଯ୍ୟପନ୍ଥା କ’ଣ ଗ୍ରହଣ କରାଯିବ ସେ ନେଇ ଏକ ବିସ୍ତୃତ ଆଲୋଚନା ହୋଇଥିଲା । ସମସ୍ତଙ୍କ ମତାମତ ନେବା ସହିତ ଆସନ୍ତା ୧୭/୮/୨୦୨୩ ତାରିଖ ଗୁରୁବାର ଦିନ ୧୨ ଘଣ୍ଟିଆ ଟିଟିଲାଗଡ ବନ୍ଦ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବନ୍ଦରେ ଟିଟିଲାଗଡର ସମସ୍ତ ଜନସାଧାରଣ ତଥା ସମସ୍ତ ସାମାଜିକ ସଂଗଠନ ବାହାରି ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହ୍ୱାନ କରାଯାଇଛି ।

ଏହି ନିଷ୍ପତି ପରେ ସହରରେ ଗୋଟିଏ ଚର୍ଚ୍ଚା ଯେ, ଫାଇବ ଟି ସଚିବଙ୍କୁ ଦିଆଯାଇଥିବା ଦାବୀପତ୍ର ବିଷୟରେ ସେ କିଛି ଉତ୍ତର ଦେଲେନି କି ? ପୂର୍ବ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଦ୍ୱାରା ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଦାବୀପତ୍ର ଦେବା ସହିତ ମୁଖ୍ୟମନ୍ତ୍ରୀ କ’ଣ କହୁଛନ୍ତି ଜିଲ୍ଲା ବିଷୟରେ ଅବଗତ କରିବାକୁ କହିଥିଲେ । ମନ୍ତ୍ରୀଙ୍କ ପ୍ରତିନିଧି ତଥା ଶାସକ ଦଳର ସମସ୍ତେ ଟିଟିଲାଗଡ଼ ଜିଲ୍ଲା ନିଶ୍ଚୟ ହେବ ବୋଲି ଜୋରରେ କହୁଥିବା ବେଳେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କାହିଁକି ପୁଣି ବନ୍ଦ ଡାକରା ଦିଆଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ରାଜନୀତିକ ପସାପାଲିରେ ଛନ୍ଦି ହୋଇ ରହିଛି ଟିଟିଲାଗଡ଼ ଜିଲ୍ଲା ଦାବୀ । ସରକାରଙ୍କୁ ମନେ ପକାଇବା ପାଇଁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା କି ବୋଲି ଆଶାୟୀ ଜିଲ୍ଲା ପ୍ରେମୀ ପ୍ରଶ୍ନ କରିଥିବା ବେଳେ ଟିଟିଲାଗଡ଼ବାସୀଙ୍କୁ ଜିଲ୍ଲା ମାନ୍ୟତା କେବେ ମିଳିବ ଅପେକ୍ଷାରେ ସହରବାସୀ ।

Leave A Reply

Your email address will not be published.