ଶିକ୍ଷକ ନ ଦେଲେ ବିଦ୍ୟାଳୟ ବନ୍ଦ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍କୁଲକୁ ଶିକ୍ଷକ ଯୋଗାଇ ଦିଆନଗଲେ ସ୍କୁଲ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଅଗଲାପାଲି ଗ୍ରାମରେ । ଆଜି ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକ ଲୋଇସିଂହା ବ୍ଲକ ଶିକ୍ଷାଧିକାରୀଙ୍କୁ ସାକ୍ଷାତ କରି ବିଦ୍ୟାଳୟକୁ ଶିକ୍ଷକ ଦିଆନଗଲେ ସ୍କୁଲ ଫାଟକରେ ତାଲା ମାରିବା ସହିତ ସବୁଦିନ ପାଇଁ ସ୍କୁଲ ବନ୍ଦ କରିଦେବାକୁ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଅଗଲାପାଲି ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୮୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏତେ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଦୁଇଜଣ ଶିକ୍ଷକ ଥିବାରୁ ବିଦ୍ୟାଳୟରେ ପାଠପଢା ହେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିନା ପାଠପଢ଼ାରେ ପିଲାମାନେ କେବଳ ସ୍କୁଲରୁ ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଅଗଲାପାଲି ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ନେଇ ଲୋଇସିଂହା ବିଇଓ ସୁଶ୍ରୀ ରିନାକୁମାରୀ ବେହେରା କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ । ତେବେ ଦୁଇଦିନ ମଧ୍ୟରେ ଶିକ୍ଷକ ସମସ୍ୟାର ସମାଧାନ କରାଯିବ ବୋଲି ବିଇଓ ପ୍ରତିଶ୍ରୁତି ଦେଇଥିବା ସ୍କୁଲ ପରିଚାଲନା କମିଟି ଅଧ୍ୟକ୍ଷ ପ୍ରସାଦି ନାଏକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.