ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୦ତମ କିସ୍ତି ବଣ୍ଟନ ନିମନ୍ତେ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ମୁଖ୍ୟ କାର୍ଯ୍ୟକ୍ରମ ଉତ୍ତର ପ୍ରଦେଶର ବାରଣାସୀଠାରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଆଭାସୀ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲାପାଳ କୀର୍ତ୍ତି ଭାସନ ସମସ୍ତଙ୍କୁ ସ୍ୱାଗତ କରିବା ସହ ଗଞ୍ଜାମ ଜିଲ୍ଲାର ପ୍ରାୟ ୧ଲକ୍ଷ ୭୦ହଜାର କୃଷିଜୀବୀଙ୍କୁ ୨୦ତମ କିସ୍ତି ପ୍ରଦାନ କରାଯାଇଛି ଏବଂ ଏହା ଆସନ୍ତା ଖରିଫ୍ ଋତୁରେ ଚାଷୀମାନଙ୍କୁ ଏହି ଅର୍ଥ ସାହାଯ୍ୟ କରିବ ବୋଲି କହିଥିଲେ । ଚାଷୀ ଭାଇମାନଙ୍କ ସୁବିଧା ଅସୁବିଧାରେ ପ୍ରଶାସନ ସଦାସର୍ବଦା ସହାୟତା କରିବ । ସମସ୍ତେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ମାନନୀୟା ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ ତାଙ୍କ ବକ୍ତବ୍ୟରେ କହିଥିଲେଯେ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ କ୍ରମେ ସମସ୍ତ ଅନ୍ନଦାତା କୃଷିଜୀବୀଙ୍କ ସମସ୍ତ ସମସ୍ୟା ଦୂର ହୋଇପାରିବ । ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ତାଙ୍କ ବକ୍ତବ୍ୟରେ ଜଣାଇଥିଲେ ଯେ, କିଷାନ ହେଉଛି ସବୁଠାରୁ ବଳିଷ୍ଠ ବ୍ୟକ୍ତିତ୍ୱ । ଦିନରାତି କଷ୍ଟ ସହି ଜଗତକୁ ଆହାର ଯୋଗାଉଛନ୍ତି । ୩ ଲକ୍ଷ ୭୫ହଜାର କୋଟି ଟଙ୍କା ଏ ପର୍ଯ୍ୟନ୍ତ ଚାଷୀ ଭାଇମାନଙ୍କୁ ଦିଆ ସରିଛି । ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅର୍ଥ ବିହନ, ସାର ଓ ଔଷଧ ଆଦି ପାଇଁ ଦରକାରରେ ଆସିବ । ବିଧାୟକ ଚିକିଟି ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଥିଲେଯେ, ଚାଷୀ ହେଉଛି ଦେଶର ମେରୁଦଣ୍ଡ । ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ନିଶ୍ଚିତ ଭାବେ କିଷାନଙ୍କ ମନୋବଳକୁ ବୃଦ୍ଧି କରିବ । ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । କୃଷିଜୀବୀମାନଙ୍କ ନିମନ୍ତେ ଲାଗୁ କରାଯାଇଥିବା ସରକାରୀ ଯୋଜନା ଗୁଡିକ ଗ୍ରାମଞ୍ଚଳରେ ପହଞ୍ଚାଇ ପାରିଲେ ସମସ୍ତେ ତାର ସୁଫଳ ପାଇପାରିବେ । ବିଧାୟକ ସୋରଡା ନୀଳମଣୀ ବିଷୋୟୀ ତାଙ୍କ ବକ୍ତବ୍ୟରେ କହିଥିଲେଯେ, କୃଷକର ବିକାଶରେ ଦେଶର ବିକାଶ । କୃଷକମାନଙ୍କ ବିକାଶ ନିମନ୍ତେ ସମସ୍ତ ଅଧିକାରୀ ଓ ଜନ ପ୍ରତିନିଧଙ୍କ ସହଯୋଗ ଲୋଡା । ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଥିଲେଯେ, ଗଞ୍ଜାମ ଜିଲ୍ଲା କୃଷି ପ୍ରବଣ ଜିଲ୍ଲା । କୃଷକର ବିକାଶ ଘଟିଲେ ଜିଲ୍ଲାର ବିକାଶ ହେବ । ମାନନୀୟା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା କହିଥିଲେଯେ, ଜିଲ୍ଲାରେ ବର୍ଷାର ଅଭାବ ରହିଛି । ଚାଷୀ ଭାଇମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଲେ ଦେଶର ଅର୍ଥନୈତିକ ମେରୁଦଣ୍ଡ ଉନ୍ନତ ହୋଇପାରିବ । ଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ କୃଷିଜୀବୀ ଭାଇ ଓ ଭଉଣୀମାନେ ତଥା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଗଣ, ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Prev Post