ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଦେବୀନଗର ମଧ୍ୟମ ଲାଇନ୍ରେ ରହୁଥିବା ଜଣେ ଧର୍ମପରାୟଣ ବ୍ୟକ୍ତି, ଭକ୍ତିବାଦ ସତ୍ସଙ୍ଗ୍ ଭଜନ କଳାକାର, ଅବସରପ୍ରାପ୍ତ ପୋଲିସ ବିଭାଗର ଡ୍ରିଲ୍-ଇନସ୍ପେକ୍ଟର ତଥା ବିଶିଷ୍ଟ ସମାଜସେବୀ ଏସ୍. ବନମାଳି ରେଡ୍ଡୀଙ୍କ ଇତି ମଧ୍ୟରେ ପରଲୋକ ହୋଇଯାଇଛି । ପ୍ରକାଶଥାଉକି, ତାଙ୍କର ଜନ୍ମସ୍ଥାନ ହମ୍ମା ନିକଟସ୍ଥ ମୟୂରପଦା ଗ୍ରାମରୁ ସ୍ୱର୍ଗଦ୍ଵାରକୁ ନିଆଯାଇ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା । ଗତ ଶନିବାର ଦିନ ଛତ୍ରପୁର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତାଙ୍କର ଦ୍ୱାଦଶାହ କାର୍ଯ୍ୟ ବର୍ଣ୍ଣାଢ଼୍ୟ ସମାରୋହରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପନ୍ନ ହୋଇଯାଇଛି । ସେ ଜଣେ ଆଧ୍ୟାତ୍ମିକବାଦୀ, ସଙ୍ଗୀତ, ଭଜନ, ନାମ ସଂକୀର୍ତ୍ତନ କଳାକାର, ଗୁରୁ ଏବଂ ନିଜେ ହାରମୋନିୟମ ବଜାଇ ସୁମଧୁର ଭଜନ ସଙ୍ଗୀତ ଗାଇ ଅଗଣିତ ଭକ୍ତଜନଙ୍କୁ ବିମୁଗ୍ଧ କରିପାରୁଥିଲେ । ଛତ୍ରପୁର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଭୂମିକାରେ ଅଂଶଗ୍ରହଣ କରି ଆସୁଥିଲେ । ମନ୍ଦିରରେ ଅନୁଷ୍ଠିତ ତାଙ୍କରି ଦ୍ୱାଦଶାହ କାର୍ଯ୍ୟରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ତାଙ୍କ ପରିବାର ବର୍ଗ ସଭିଁଏ ଯୋଗଦେଇ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।