ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ପାଖ ବନଦୁର୍ଗା ମନ୍ଦିର ଠାରେ ଆଜି ସୋମବାର ସକାଳ ୮ ଘଣ୍ଟା ସମୟରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ପ୍ରବୀଣ ମିଶ୍ର ଓ ପଣ୍ଡିତ ବିଘ୍ନରାଜ ନନ୍ଦଙ୍କ ମନ୍ତ୍ର ଉଚ୍ଚାରଣରେ ଅରାଧ୍ୟ ଦେବତା ସୂର୍ୟ୍ୟଙ୍କୁ ଆବାହାନ କରି ପୂଜା କରାଯାଇ ମନ୍ଦିରର ପାର୍ଶ୍ଵ ଦେବାଦେବୀଙ୍କ ପୂଜାର୍ଚନା କରି ସାରିବା ପରେ ନବରାତ୍ରର ଅଷ୍ଟମୀ ଦିନରେ ମାଁ ଦୁର୍ଗାଙ୍କ ମହାଗୋୖରୀ ବେଶରେ ଷୋଡଶ ଉପଚାରରେ ପୂଜାର୍ଚନା ଧୂମଧାମରେ ପରିଚାଳିତ ହେଇଯାଇଛି । ମହାଗୋୖରୀ ହେଉଛନ୍ତି ମାଁ ଦୁର୍ଗାଙ୍କର ଅଷ୍ଟମ ସ୍ୱରୂପ, ଯାହାଙ୍କୁ ନବରାତ୍ରର ଅଷ୍ଟମ ଦିନରେ ପୂଜା କରାଯାଏ । ‘ମହା’ ଅର୍ଥ ମହାନ ଏବଂ ‘ଗୌରୀ’ ଅର୍ଥ ଉଜ୍ଜଳ ବର୍ଣ୍ଣ । ତାଙ୍କର ଏହି ନାମ ଅତ୍ୟନ୍ତ ସୁନ୍ଦର ଓ ଶ୍ୱେତ ବର୍ଣ ପାଇଁ ଉଦ୍ଦିଷ୍ଟ,ଭଗବାନ ଶିବଙ୍କୁ ପତି ରୂପେ ପାଇବା ପାଇଁ ମାତା ପାର୍ବତୀ କଠୋର ତପସ୍ୟା କରିଥିଲେ । ବର୍ଷ ବର୍ଷ ଧରି ଏହି ତପସ୍ୟା କରିବା ସମୟରେ ତାଙ୍କ ଶରୀର ଧୂଳି ଓ ମାଟିରେ ଆଛାଦିତ ହୋଇ କଳା ପଡିଯାଇଥିଲା । ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ଗ୍ରହଣ କରିଥିଲେ ଏବଂ ଗଙ୍ଗାର ପବିତ୍ର ଜଳରେ ତାଙ୍କ ଶରୀରକୁ ଧୋଇ ଦେଇଥିଲେ । ଏହି ସ୍ନାନ ପରେ ପାର୍ବତିଙ୍କ ଶରୀର ପୁନର୍ବାର ଉଜ୍ଜଳ ଏବଂ ଗୌର ବର୍ଣ୍ଣ ହୋଇ ଯାଇଥିଲା । ସେହି ସମୟରୁ ସେ ମହାଗୋୖରୀ ନାମରେ ପରିଚତ ହେଲେ । ଅନ୍ୟ ଏକ କାହାଣୀରୁ ଶୁମ୍ଭ ଓ ନିଶୁମ୍ଭ ନାମକ ରାକ୍ଷ୍ୟାସକୁ ବଧ କରିବା ପାଇଁ ପାର୍ବତିଙ୍କ ଶରୀରରୁ କୌଶିକ ନାମକ ଶକ୍ତି ବାହାରିଥିଲା, ଏହି ଘଟଣା ପରେ ସେ ପୁଣି ଥରେ ତାଙ୍କ ଗୌର ରୂପ ଫେରି ପାଇଥିଲେ । ମହାଗୋୖରୀଙ୍କ ବର୍ଣ୍ଣ ଅତ୍ୟନ୍ତ ଉଜ୍ଜଳ, ଶ୍ୱେତ ବସ୍ତ୍ର ପରିଧାନ କରିଥାନ୍ତି, ଯାହା ଶାନ୍ତି ଏବଂ ଶୁଦ୍ଧତାର ପ୍ରତୀକ । ସେ ବୃଷଭ ଉପରେ ବିରାଜମାନ କରିଥାନ୍ତି । ଯାହାଙ୍କୁ ବୃଷାରୁଢ଼ା ମଧ୍ୟ କୁହାଯାଏ । ତାଙ୍କର ଚାରୋଟି ହାତ, ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ଡମ୍ବରୁ ଧାରଣ କରି ଥାଆନ୍ତି । ଅନ୍ୟ ଦୁଇଟି ହାତରେ ଅଭୟ ଓ ବର ମୁଦ୍ରାରେ ଥାଏ । ମହାଗୋୖରୀଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ପାପ କ୍ଷୟ ହୁଏ ଏବଂ ମନରେ ଶାନ୍ତି ଆସେ ବୋଲି ବିଶ୍ୱାସ କରାଯାଏ । ଭକ୍ତ ମାନେ ତାଙ୍କ ଠାରୁ ସୁଖ, ସମୃଦ୍ଧି ଏବଂ ସକାରାତ୍ମକ ପ୍ରାପ୍ତ କରିବା ପାଇଁ ଆରାଧନା କରିଥାନ୍ତି । ଅରୁଣ କୁମାର ଦାନି ଓ ତାଙ୍କ ସହଧର୍ମିଣୀ ରୁପାରାଣୀ ସାହୁ ପ୍ରତ୍ୟେକ ଦିନର କର୍ତ୍ତା ଦାୟିତ୍ୱ ବହନ କରୁଛନ୍ତି । ବନଦୁର୍ଗା ମନ୍ଦିରର ସଭାପତି ଡା.ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ୍ୟ ଅନିଲ କୁମାର ବେହେରାଙ୍କ ତତ୍ୱାବଧାନରେ ଗଜିଆ ଶର୍ମା, ପ୍ରତାପ ମିଶ୍ର, ଗଜୁ ଅଗ୍ରୱାଲ, ଅଜିତ ଶତପଥୀ, ସୁଶାନ୍ତ ପଧାନ, ବିଷ୍ଣୁ ଥପା ଓ ଉମେଶ ସାହୁଙ୍କ ସହଯୋଗରେ ସମସ୍ତ କାର୍ୟ୍ୟକ୍ରମ ସୁରୁଖୁରୁରେ କରି ଆସୁଛନ୍ତି ।