ଲୋୟର ସୁକତେଲ ବୁଡି ଅଂଚଳରେ ଲୋକେ ପାଳିବେ ବନଦୁର୍ଗା ମହୋତ୍ସବ

  • ସଂସ୍କୃତିର ସୁରକ୍ଷା ଓ ସମସ୍ୟା ସମାଧାନର ବାଟ ଦେଖାଇବ ମହୋତ୍ସବ : ନରସିଂହ
  • ଏପ୍ରିଲ ୭ରୁ ଆରମ୍ଭ ହେବ ବନଦୁର୍ଗା ମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକ ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ଲୋୟର ସୁକତେଲ ବୁଡି ଅଂଚଳର ଲୋକେ ସବୁ କିଛି ତ୍ୟାଗ କରିଛନ୍ତି । ମା, ମାଟି, ମନ୍ଦିର, ଆତ୍ମୀୟ ସ୍ୱଜନ ଏ ସମସ୍ତଙ୍କୁ ଛାଡି ୨୯ ଖଣ୍ଡ ଗାଁର ଲୋକେ ବିସ୍ତାବିତ ହେଲେ । ସମସ୍ୟା ଥିଲା ଅନେକ, ବିସ୍ତାପିତ ହେବା ପୂର୍ବରୁ ଯଦି ଓ ସିଂହଭାଗ କ୍ଷତିପୁରଣ ଲୋକେ ପାଇପାରିଥିଲେ ତଥାପି ମଧ୍ୟ କିଛି ଲୋକେ ଆଜି ବି ସମ୍ପୂର୍ଣ୍ଣ କ୍ଷତିପୂରଣ ପାଇ ନାହାନ୍ତି । ପୁଣି ପୁନର୍ବାସ କଲୋନୀରେ ନାହିଁ ନ ଥିବା ଅସୁବିଧା । ନା ଛୋଟ ଛୋଟ ଛୁଆମାନଙ୍କ ପାଇଁ ସ୍କୁଲ ଅଛି, ନା ଅଛି ପିଲାଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ର । ସେଠାରେ ହେଉଛି ପ୍ରତ୍ୟେକ ଦିନ ସେମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ । ସମସ୍ୟା ଶୁଣିବା ପାଇଁ ଆଉ କେହି ନାହାନ୍ତି । ତେଣୁ ଏ ସମସ୍ତ ଲୋକଙ୍କ ସଂସ୍କୃତି, ପରମ୍ପରାର ସୁରକ୍ଷା, ତାଙ୍କ ଭିତରେ ପୁଣି ପୂର୍ବପରି ଭାବ ବିନିମୟ କରିବା ଭଳି ଏକତା, ସମସ୍ୟା ଗୁଡିକୁ ଯେପରି ସମାଧାନ ହୋଇପାରିବ ସେ ଉପରେ ଆଲୋଚନାର ବାଟ, ଏ ସବୁକୁ ଦୃଷ୍ଟିରେ ରଖି ଆଜି ୨୯ ଖଣ୍ଡ ଗାଁର ଲୋକେ ଏକତ୍ରିତ ହୋଇ ଏ ଅଂଚଳର ଇଷ୍ଟଦେବୀ ମାଁ ବନଦୁର୍ଗାଙ୍କ ନାଁରେ ଲୋୟର ସୁକତେଲ ପ୍ରକଳ୍ପ ଅଂଚଳରେ ମାଁ ବନଦୁର୍ଗା ମହୋତ୍ସବ ପାଳନ କରିବାକୁ ଯାଉଛନ୍ତି । ମୁଁ ଦୃଢ ନିଶ୍ଚିତ ବିସ୍ତାପନ ପରେ ତାଙ୍କ ଭିତରେ ଥିବା ନିରାଶ ଭାବ ତଥା ନିସଙ୍ଗ ପଣିଆ ଓ ଏ ଅଂଚଳର ସଂସ୍କୃତିର ହଜିଯିବା ଭୟକୁ ବନଦୁର୍ଗା ମହୋତ୍ସବ ନିଶ୍ଚିତ ଭାବରେ ପୁଣି ଫେରେଇ ଆଣି ପାରିବ ବୋଲି ମାଁ ବନଦୁର୍ଗା ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ମଂଚ ଭୂମିପୂଜା ଉତ୍ସବରେ ମହୋତ୍ସବ କମିଟିର ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଉପସ୍ଥିତ ଥିବା ତଳି ତଥା ବୁଡି ଅଂଚଳର ଲୋକଙ୍କୁ ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହାକୁ ନେଇ ଆହୁରି ମଧ୍ୟ କହିଛନ୍ତି ଯେ ଏ ଉତ୍ସବ ମାଧ୍ୟମରେ ଏ ଅଂଚଳର ଲୋକଙ୍କର ଶିକ୍ଷା, ସଂସ୍କୃତି, ପରଂପରା ତଥା ସେମାନେ ଭୋଗୁଥିବା ସମସ୍ୟାକୁ ନେଇ ଏକ ଉତ୍ତମ ମାହୋଲରେ ମତ ବିନିମୟ କରିପାରିବା ଯାହାକି ଶିକ୍ଷା, ସଂସ୍କୃତି, ପରଂପରାର ସୁରକ୍ଷା ଓ ସମସ୍ୟାର ସମାଧାନ ଦିଗରେ ଆମକୁ ସାହାଯ୍ୟ କରିବ । ଲୋୟର ସୁକତେଲ ଡେମ ତଳେ ଅନୁଷ୍ଠିତ ଏକ ବୈଠକରେ ଉପଦେଷ୍ଟା ମଣ୍ଡଳି ଘୋଷଣା ହୋଇଥିଲା । ଉପଦେଷ୍ଟା ମଣ୍ଡଳିରେ ପୂର୍ବତନ ମୁଖ୍ୟ ଯନ୍ତ୍ରୀ ବେଲାର ସିଂ ଭୋଇ, ଗୌନ୍ତିଆ ଲୋକନାଥ କୁମୁରା, ଝାଙ୍କରପାଲି ଗୌନ୍ତିଆ ଦୁର୍ଗା ଭୋଇ, ସାମାଜିକ କର୍ମୀ ଧର୍ମେନ୍ଦ୍ର ନନ୍ଦ, ଲୋଚନ ବିଶ୍ୱାଲ ପ୍ରମୁଖ ମଂଚାସୀନ ଥିଲେ । ଏହି ଉତ୍ସବ ଆୟୋଜନରେ ମୁଖ୍ୟତଃ ମାଗୁରବେଡା, ଗ.ଶ.ଡୁଙ୍ଗୁରିପାଲି, କୁଶମେଲ, କୁଟୁମଡୋଲା, ଖୁଣ୍ଟପାଲି, ରେଙ୍ଗାଲି, ରତାଖଣ୍ଡି, ବାରପୁଡୁଗିଆ, ଝାଙ୍କରପାଲି ଓ ଚୁଡାପାଲି ପଂଚାୟତର ଜନପ୍ରତିନିଧି ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଆସନ୍ତା ଏପ୍ରିଲ ମାସ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଏହି ମହୋତ୍ସବ ପାଳନ କରାଯିବାର ସ୍ଥିରିକୃତ ହୋଇଛି ବୋଲି ମହୋତ୍ସବ କମିଟିର ସଭାପତି ସଂଜୟ ଗଡତ୍ୟା, ଉପ-ସଭାପତି କୈଳାସ ଚନ୍ଦ୍ର ସିଂଦେଓ ଓ ସଂପାଦକ ଜୟକୃଷ୍ଣ ମିଶ୍ର, ସହ-ସଂପାଦକ ବିକାଶ ରଥ ଓ କୋଷାଧ୍ୟକ୍ଷ ନରେନ୍ଦ୍ର ବିଶି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.