ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ଗଛ ଲଗାଇବା । ଧରିତ୍ରୀ ମାଆଙ୍କୁ ସମ୍ମାନ ଜଣାଇବା । ପରିବେଶ ସବୁଜିମାରେ ହସି ଉଠିବ । ଜଳବାୟୁକୁ ସ୍ୱାସ୍ଥ୍ୟ ଉପଯୋଗୀ କରିବା । ଏହି ଉଦ୍ଦେଶ୍ୟରେ ଆଜି ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ଏବଂ ଜିଲ୍ଲା ଆଇନ ସହାୟତା ସଂଯୋଜକଙ୍କ ଆହ୍ୱାନ କ୍ରମେ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କର ସଭାପତିତ୍ୱରେ ପରିବେଶ ସଚେତନତା ସଭା ଆୟୋଜିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ବୃକ୍ଷ ରୋପଣର ମହତ୍ତ୍ୱ, ଗୁରୁତ୍ୱ, ଉପାଦେୟତା ବିଷୟରେ ପ୍ରାଞ୍ଜଳ ଭାବରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଜୁନିୟର ରେଡ଼କ୍ରସ ୟୁନିଟ, ଭଗତ ସିଂହ ସ୍କାଉଟ ଟ୍ରୁପ୍ ଏବଂ ଅନ୍ୟାନ୍ୟ ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସ୍କୁଲ ଖେଳ ପଡ଼ିଆ ପରିସରରେ ଆମ୍ବ, ନିମ୍ବ, ଅଁଳା, କରଞ୍ଜ, କୃଷ୍ଣ ଚୁଡ଼ା, ଶାଗୁଆନ ପ୍ରଭୃତି ପ୍ରଜାତିର ୨୫ ଗୋଟି ଚାରା ରୋପଣ କରାଯାଇଥିଲା । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲା ସ୍କାଉଟ ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୀବ କୁମାର ପୂଜାରୀ, ମୀନକେତନ ଦାସ, ବିଭୀଷଣ ଖମାରୀ, ସ୍ନିଗ୍ଧା ପ୍ରଧାନ ଓ କିରଣ ପୁଟେଲ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ ।
Prev Post