oom

ବନ ବିଭାଗର ଅବ୍ୟବସ୍ଥା ଓ ଦୁର୍ନୀତିକୁ ନେଇ ବରିଷ୍ଠ କଂଗ୍ରେସ ନେତାଙ୍କ ଦାବୀପତ୍ର ପ୍ରଦାନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବନ ବିଭାଗରେ କାର୍ଯ୍ୟରତ ଶତାଧିକ ଅସ୍ଥାୟୀ କର୍ମଚାରୀମାନଙ୍କ ବର୍ଷ ବର୍ଷ ଧରି ଇପିଏଫ୍‌ ଏବଂ ଇଏସ୍‌ଆଇ ଦେୟ ସଂପୃକ୍ତ ବିଭାଗରେ ଦାଖଲ କରାନଯିବା ଏବଂ ବ୍ୟାପକ ଅନିୟମିତତାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଅସୀମ ପଟ୍ଟନାୟକ ତିବ୍ର ଅସନ୍ତୋଷ ପ୍ରକାଶ କରି ଏକ ତିନି ଦଫା ସମ୍ବଳିତ ଦାବିପତ୍ର ବଲାଙ୍ଗିର ଡିଏଫ୍‌ଓଙ୍କୁ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ବଲାଙ୍ଗିର ବନବିଭାଗରେ ଚାଲିଥିବା ଘୋର ଅବ୍ୟବସ୍ଥା, ଅନିୟମିତତା ତଥା ଅସ୍ଥାୟୀ ବନ କର୍ମଚାରୀମାନଙ୍କ ବୃତ୍ତିଗତ ସୁରକ୍ଷାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଶ୍ରୀ ପଟ୍ଟନାୟକ ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ।
ଉପରୋକ୍ତ ଦାବୀପତ୍ରରେ ଅସ୍ଥାୟୀ ବନକର୍ମଚାରୀମାନଙ୍କ ଇପିଏଫ୍‌ ତଥା ଇଏସ୍‌ଆଇ ଅର୍ଥକୁ ସପୃକ୍ତ ବିଭାଗ ଗୁଡିକରେ ତୁରନ୍ତ ଦାଖଲ କରିବା ପାଇଁ ଉଲ୍ଲେଖ କରିବା ସହିତ ଦୀର୍ଘବର୍ଷ ଧରି କାର୍ୟ୍ୟରତ କର୍ମଚାରୀମାନଙ୍କୁ ଅସ୍ଥାୟୀ ନିଯୁକ୍ତି ପ୍ରମାଣପତ୍ର ପ୍ରଦାନ କରାଯିବା ଦାବି କରିଛନ୍ତି । ଏଥି ସହିତ ବର୍ଷ ବର୍ଷ ଧରି ଅନିୟମିତତା କରି କର୍ମଚାରୀମାନଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ସଂପୃକ୍ତ ଠିକା ସଂସ୍ଥା ଏବଂ କିଛି ଅସାଧୁ ବିଭାଗୀୟ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦୃଢ ଦାବି କରିଛନ୍ତି । ଏ ଦିଗରେ ବିଭାଗୀୟ ନିଷ୍କ୍ରିୟତା ବା ଉଦାସିନତା ପ୍ରକାଶ କରାଗଲେ ଆଗାମୀ ଦିନରେ ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟକୁ ଘେରାଓ କରାଯିବା ସହିତ ଅଚଳ କରି ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ଚରମ ପତ୍ର ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଭୁବନାନନ୍ଦ ସୁନା ଏବଂ ଶ୍ରମିକ ନେତା ଉମେଶ ପ୍ରଧାନ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.