jayashree

କନ୍ଧମାଳରେ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା କାର୍ୟ୍ୟକ୍ରମ ଯଥେଷ୍ଟ ଆଗେଇ ପାରିଛି : ଚାଇ‌ଲ୍ଡ ଲାଇନ ରୋକିଛି ୭୧ଟି ବାଲ୍ୟ ବିବାହ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗତ ୨୦୧୨ ମସିହାରୁ କନ୍ଧମାଳ ଜିଲାରେ କାର୍ୟ୍ୟ କରି ଆସୁଥିବା ଚାଇ‌ଲ୍ଡ ଲାଇନ ଜିଲାରେ ଶିଶୁ ମାନଙ୍କ ସୁରକ୍ଷା, ଥଇଥାନ ଏବଂ ଉନ୍ନତି ଦିଗରେ ଯଥେଷ୍ଟ କାର୍ୟ୍ୟ କରିଛି । ଆଗକୁ ଏହି ଦିଗରେ ଆହୁରି ଅନେକ କରିବାର ଅଛି ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚାଇଲଡ ଲାଇନର ନିର୍ଦେଶକ ରବୀନ୍ଦ୍ରନାଥ ପଣ୍ଡା କହିଛନ୍ତି । ଜିଲାରେ ଇତି ମଧ୍ୟରେ ଶିଶୁ ସୁରକ୍ଷା ସଂପର୍କରେ ଜାଗ୍ରତ ବଢିଥିିବା ସହ ହେଲପଲାଇନ ୧୦୯୮ ସଂପର୍କରେ ମଧ୍ୟ ସଚେତନତା ସୃଷ୍ଟି ହୋଇ ପାରିଛି ବୋଲି ସେ କହିଛନ୍ତି । ଅନେକ ସମୟରେ ଚାଇ‌ଲ୍ଡ ଲାଇନର କର୍ମକର୍ତ୍ତାଙ୍କୁ ପ୍ରତିକୂଳ ପରିସ୍ଥିତିରେ କାମ କରିବାକୁ ପଡୁଥିିଲେ ବି ସଂସ୍ଥାର କର୍ମକର୍ତାମାନେ ଗତ କିଛି ବର୍ଷ ମଧ୍ୟରେ ନିଜର ଦାୟିତ୍ୱ ତୁଲାଇବାରେ ସଫଳ ରହିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଗତ ବର୍ଷ ଚାଇ‌ଲ୍ଡ ଲଇନ ପକ୍ଷରୁ ୭୧ଟି ବାଲ୍ୟ ବିବାହ ରୋକାଯାଇଥିବା ବେଳେ ୨୨ ଜଣ ଶିଶୁଙ୍କୁ ନିର୍ୟ୍ୟାତନାରୁ ରକ୍ଷା କରାଯାଇଛି ଏବଂ ୧୫ ଜଣ ଶିଶୁଙ୍କୁ ପ୍ରତିପାଳନ ଓ ଶିକ୍ଷାର ସୁଯୋଗ ଦିଆଯାଇ ପାରିଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଚାଲାଣ କରାଯାଉଥିବା ବେଳେ ୩୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି ଏବଂ ୮ ଜଣ ନିଖୋଜ ଓ ଘରୁ ଚାଲିଯାଇଥିବା ଶିଶୁଙ୍କୁ ଚାଇ‌ଲ୍ଡ ଲାଇନ କର୍ମକର୍ତ୍ତାମାନେ ଉଦ୍ଧାର କରିଥିବା କୁହାଯାଇଛି । ତେବେ କନ୍ଧମାଳ ଜିଲାରେ ବାଲ୍ୟ ବିବାହ ଏବଂ ଅନ୍ୟାନ୍ୟ ଶିଶୁ ସମସ୍ୟା ସଂପର୍କିତ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ଏ ଅବସରରେ ନିର୍ଦ୍ଦେଶକ ଶ୍ରୀ ପଣ୍ଡା କହିଛନ୍ତି । ଜିଲାରେ ବିଭିନ୍ନ ଭାବେ ନିର୍ୟ୍ୟାତିତ ହେଉଥିବା କିମ୍ବା ବାଲ୍ୟ ବିବାହରୁ ରୋକା ଯାଉଥିବା କିଶୋରୀ ମାନଙ୍କୁ ଉଦ୍ଧାର ପରବର୍ତ୍ତୀ ଦେଖାରେଖାର ଆବଶ୍ୟକତା ଉପରେ ଏହି ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲାରେ ଚାଇ‌ଲ୍ଡ ଲାଇନର ଆଉ ଦୁଇଟି ସବ ସେଣ୍ଟର ସ୍ଥାପନର ଆବଶ୍ୟକତା ରହିଥିବା ନିର୍ଦ୍ଦେଶକ କହିଥିଲେ । ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ବି ତାହା କାର୍ୟ୍ୟକାରୀ ହୋଇପାରି ନାହିଁ । ତେଣୁ ଚାଇ‌ଲ୍ଡ ଲାଇନର କାର୍ୟ୍ୟ ପରିସରକୁ ବଢାଇ ହେଉ ନ ଥିବା କହିଥିଲେ ଶ୍ରୀ ପଣ୍ଡା । ଚାଇଲଡ ଲାଇନର କାର୍ୟ୍ୟକ୍ରମ ସଂଯୋଜିକା ରଂଜିତା କମ୍ପ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ପ୍ରେସ କ୍ଲବର ସଭାପତି ଶିବ ପ୍ରସାଦ ତ୍ରିପାଠି, ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ ପ୍ରମୁଖ ମଂଚାସୀନ ଥିଲେ । ଶିବ ଶଂକର ବେହେରା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରଭାସ ରଂଜନ ନାୟକ ଚାଇଲଡ ଲଇନର କାର୍ୟ୍ୟକ୍ରମ ଉପରେ ବର୍ଣ୍ଣନା କରିଥିଲେ । ସଦସ୍ୟ ଦୀଲ୍ଲୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.