
ବରଗଡ଼, (ନିରୋଜ କୁମାର ପାଣୀ) : ଋଷିଆର ରାଜଧାନୀ ମସ୍କୋଠାରେ ଆଜିଠାରୁ ଭାରତ ଉତ୍ସବ ଆରମ୍ଭ ହୋଇଛି । ନଅ ଦିନ ଧରି ମସ୍କୋ ର ଏଇତିହାସିକ ରେଡ ସ୍କୁଆର ନିକଟରେ ଚାଲିଥିବା ଏହି ବନ୍ଧୁତ୍ୱପୂର୍ଣ୍ଣ ଉତ୍ସବରେ ବରଗଡ଼ର ସ୍ୱନାମଧନ୍ୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ମଧ୍ୟ ନିମନ୍ତ୍ରଣ ପାଇ ସାମିଲ ହୋଇଛନ୍ତି । ନଅ ଦିନ ଧରି ସେ ବିଭିନ୍ନ ବିଷୟ ବସ୍ତୁ ଆଧାରିତ ବାଲୁକା କଳା ପ୍ରଦର୍ଶନ କରିବେ । ଉଦଘାଟନୀ ଦିବସରେ ତାଙ୍କ କଳା ମାଧ୍ୟମରେ ଉତ୍ସବକୁ ଶ୍ରୀଗଣେଶ କରିବାର କଳା ଚାତୁରୀ ଦର୍ଶକ ମହଲରେ ବେଶ ପ୍ରଶଂସିତ ହୋଇଛି ବୋଲି ମସ୍କୋରେ ଅବସ୍ଥାନ କରୁଥିବା ବରଗଡ଼ର ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରୁ ଏକ ଓଡ଼ିଶୀ ନୃତ୍ୟ ଦଳ ସାମିଲ ହୋଇଛନ୍ତି । ଏହି ଦଳର ଉଦଘାଟନୀ ନୃତ୍ୟ ପ୍ରଦର୍ଶନ ଦର୍ଶକ ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଏହି ଭାରତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସାଂସଦ ସୁଜିତ କୁମାର ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଭାରତର ଛୋଟ ଶିଶୁଟିଏ ମଧ୍ୟ ଋଷିଆକୁ ଭାରତର ପରମ ମିତ୍ର ଭାବେ ଜାଣେ ବୋଲି ବକ୍ତବ୍ୟରେ ଦର୍ଶାଇ ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନକୁ ଅଧିକ କ୍ରିୟାଶୀଳ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ଭାରତର ବିଭିନ୍ନ ପ୍ରଦେଶରୁ କଳାକାର ମାନେ ସାମିଲ ହୋଇଛନ୍ତି ଏବଂ ସେମାନଙ୍କ କଳା ନିପୁଣତା ଋଷିଆ ଦର୍ଶକଙ୍କୁ ବେଶ୍ ବିମୋହିତ କରିଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।