ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଓ ଆଗଲପୁର ବ୍ଲକରେ ଅବାଧରେ ବାଲି ଚୋରା ଚାଲାଣ ହେଉଛି । ଅଙ୍ଗ ଓ ସୁକତେଲ ନଦୀର ବିଭିନ୍ନ ବାଲିଘାଟରେ ଲିଜ ଅବଧି ସରିଯିବା ପରେ ମଧ୍ୟ ବାଲି ମାଫିଆମାନେ ବାଲି ଉଠାଉଛନ୍ତି । ଏହାକୁ ରୋକିବାକୁ ଅଥବା ବାଲି ଚାଲାଣରେ ନିୟୋଜିତ ହାଇୱା ଗୁଡ଼ିକର କାଗଜାତ ତନଖି କରିବାକୁ କେହି ନାହାନ୍ତି । ଏପରିକି ପଡୋଶୀ ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାକୁ ମଧ୍ୟ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଖଣି ବିଭାଗ ନିକଟରେ ଏ ନେଇ ଖବର ଥିଲେ ମଧ୍ୟ ବାଲି ମାଫିଆ ଓ ଖଣି ଅଧିକାରୀଙ୍କ ମଧ୍ୟରେ ରହିଥିବା ଅସାଧୁ ମେଣ୍ଟ ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଆଗଲପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମନମୋହନ ପଟେଲ ଅଭିଯୋଗ କରିଛନ୍ତି । ଆଗଲପୁର ବ୍ଲକ ଅଙ୍ଗ ନଦୀର ଡୁଡୁକା- ମହୁଲପାଲି ମଧ୍ୟରେ ଚୂର୍ଣ୍ଣିମୁହାଣ ନାମକ ଏକ ବେଆଇନ ବାଲିଘାଟ ତିଆରି କରାଯାଇ ବାଲି ଉଠାଣ ହେଉଛି । ଏଥିପାଇଁ ବ୍ୟକ୍ତିଗତ ରୟତି ଜମିରେ ନଦୀକୁ ରାସ୍ତା ନିର୍ମାଣ କରାଯାଇ ପ୍ରତ୍ୟହ ବାଲି ଚାଲାଣ ହେଉଛି । ଦିନବେଳା ମେସିନ ଲଗାଇ ବାଲି ଖନନ ହେବା ପରେ ହାଇୱାରେ ଅନ୍ୟତ୍ର ଚାଲାଣ ହେଉଛି । ମୁଖ୍ୟ ରାସ୍ତାକଡ଼ରୁ ବାଲି ଉଠୁଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ନିଘା ନାହିଁ । ଆଉ କେତେକ ବାଲିଘାଟର ଲିଜ ଅବଧି ଶେଷ ହୋଇଥିବା ବେଳେ ଲିଜ ନବୀକରଣ ନ ହୋଇ ମଧ୍ୟ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ବାଲି ଚାଲାଣ ହେଉଛି । କୌଣସି ବି ବାଲିଘାଟର ପରିବେଶ ମଞ୍ଜୁରୀ ନ ଥିବାବେଳେ ଖଣି ବିଭାଗର କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ତଥା ବାଲି ମାଫିଆଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ଯୋଗୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଶ୍ରୀ ପଟେଲ ଅଭିଯୋଗ କରିଛନ୍ତି । ଲୋଇସିଂହା ବ୍ଲକର ଛେଲବାହାଲ ବାଲିଘାଟରୁ ବାଲି ଉଠାଣ ପାଇଁ ଅନୁମତି ନଥିଲେ ମଧ୍ୟ ଏଠାରେ ସମସ୍ତ ନୀତି ନିୟମକୁ ଉଲଂଘନ କରାଯାଇ ଜଳ ଯୋଗାଣ ପ୍ରକଳ୍ପ ନିକଟରୁ ବାଲି ଉଠାଯାଉଛି । ଅନେକ ବାଲିଘାଟର ଲିଜ ଅବଧି ସରିଥିଲେ ହେଁ ପ୍ରତ୍ୟହ ଶତାଧିକ ଟ୍ରିପ ବାଲି ଉଠୁଛି । ଉପରବାହଲ, ନୁନିଆପାଲି, ବକଟି ନିକଟରେ ବେଆଇନ ଭାବେ ଶତାଧିକ ଟ୍ରିପ ବାଲି ଗଚ୍ଛିତ ରହିଥିବା ଦେଖିବାକୁ ମିଳିଛି । ବେଆଇନ ବାଲି ଉଠାଣ, ଚାଲାଣ ତଥା ଗଚ୍ଛିତ ରଖିବା ଉପରେ ରୋକ୍ ଲଗାଇବା ପାଇଁ ଟାସ୍କଫୋର୍ସ ଗଠିତ ହୋଇଥିଲେ ମଧ୍ୟ ତାହା ନାମକୁ ମାତ୍ର । ବଲାଙ୍ଗିର ଜିଲ୍ଲାପାଳ ଏଥିପ୍ରତି ସ୍ଵତନ୍ତ୍ର ଭାବେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।