ଅଙ୍ଗନଦୀରେ ମାତିଛନ୍ତି ବାଲିଚୋର

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଦେଇ ବହିଯାଇଥିବା ଅଙ୍ଗନଦୀରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ କ୍ରମଶଃ ବଢ଼ିବାରେ ଲାଗିଛି । ପୂର୍ବରୁ ବର୍ଷର ଅଧିକାଂଶ ସମୟ ଏହି ନଦୀରେ ଜଳଧାରା ବହୁଥିବା ବେଳେ ଗତ କିଛି ବର୍ଷ ହେଲା ବର୍ଷାଦିନ ବ୍ୟତିତ ବାକି ସମୟ ନଦୀଟି ଶୁଖିଲା ରହୁଛି । ଅବିରତ ବାଲି ଚାଲାଣ ଯୋଗୁଁ ଅଙ୍ଗନଦୀ ତାର ଅସ୍ତିତ୍ୱ ହରାଇବାରେ ଲାଗିଛି । ପ୍ରଶାସନର ଉଦାସୀନତା ଯୋଗୁଁ ବେଫିକର ଭାବେ ବାଲି ମାଫିଆ ସେମାନଙ୍କ କାରବାର ଜାରି ରଖିଥିବା ଦେଖିବାକୁ ମିଳିଛି । ଆଗଲପୁର ବ୍ଲକ ଡୁଡୁକା-ଚୂର୍ଣ୍ଣିମୁହାଣ ଠାରେ ବେଆଇନ ଭାବେ ବାଲିଘାଟ ତିଆରି କରାଯାଇ ବାଲି ଚାଲାଣ ହେଉଛି । ନଦୀଶଯ୍ୟାରେ ହୋମ ପାଇପ ପକାଯାଇ ବାଲିଘାଟକୁ ରାସ୍ତା ତିଆରି କରାଯାଇଛି । ବନ୍ୟା ପ୍ରତିରୋଧ ଆଡ଼ିବନ୍ଧକୁ କାଟି ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଜଳସେଚନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ବିନା ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ଏପରିକି ରୟତି ଜମିରେ ବାଲିଘାଟକୁ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଜମି ମାଲିକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଅନୁଚିତ ଅନୁଗ୍ରହ ଲାଭ ପୂର୍ବକ କିଛି ଖଣି ବିଭାଗ କର୍ମଚାରୀ ବାଲି ମାଫିଆଙ୍କୁ ପ୍ରଶୟ ଦେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବାଲିଘାଟ ଉପରେ ଚଢ଼ାଉ ପୂର୍ବରୁ ଖଣି ବିଭାଗ କର୍ମଚାରୀଙ୍କ ଜରିଆରେ ବାଲି ମାଫିଆଙ୍କ ନିକଟରେ ଖବର ପହଞ୍ଚି ଯାଉଛି । ଆଉ ଏପଟେ ଚଢାଉରେ କିଛି ମିଳି ନ ଥିବା ଖଣି ଅଧିକାରୀ କହୁଛନ୍ତି । ବେଆଇନ ଭାବେ କିଛି ବାଲି ମାଫିଆ ଡୁଡୁକା- ଉପରବାହାଲ ଅଞ୍ଚଳରେ ହଜାର ହଜାର ଟ୍ରିପ୍ ବାଲି ଗଚ୍ଛିତ ରଖିଥିବା ଦେଖିବାକୁ ମିଳିଛି । ଖଣି ବିଭାଗ ପକ୍ଷରୁ ସେଠାରେ ସ୍ପଟ୍ ଅକ୍ସନ କରାଯାଇ ନାମକୁ ମାତ୍ର ଜରିମାନା ଆଦାୟ ହେଉଛି । ପ୍ରକୃତରେ ନଦୀଗର୍ଭରୁ ପ୍ରତିଦିନ ହାଇୱାରେ ବାଲି ଚାଲାଣ ହେଉଛି । ସେହିପରି ମୂରସୁଣ୍ଡ ଠାରେ ବେଆଇନ ଭାବେ ବାଲିଘାଟ ତିଆରି କରାଯାଇ ଟ୍ରାକ୍ଟର ଯୋଗେ ପ୍ରତ୍ୟହ ବାଲି ଚୋରା ଚାଲାଣ ହେଉଛି । ସରକାରୀ ଦଳର ଜନୈକ କୁଜିନେତାଙ୍କ ପ୍ରଚ୍ଛନ୍ନ ଇଙ୍ଗିତରେ ଏଠାରେ ବାଲି ଚାଲାଣ ହେଉଥିବା ଜାଣିବାକୁ ମିଳିଛି । ଫଳରେ ପୋଲିସ ତଥା ଖଣି ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଥିବା ଜଣାଯାଇଛି । ଗୋଟିଏ ଟ୍ରାନଜିଟ ପାସ ବ୍ୟବହାର କରାଯାଇ ଏକାଧିକ ଟ୍ରିପ ବାଲି ଚାଲାଣ ହେଉଥିବାରୁ ସରକାରୀ ରାଜସ୍ୱ ହାନି ହେଉଛି । ବାଲି ମାଫିଆ, ଖଣି ଅଧିକାରୀ ତଥା ସ୍ଥାନୀୟ ପୋଲିସର ମିଳିତ ସଲାସୁତୁରାରେ ଚାଲିଥିବା ବାଲିର ଏହି ଚୋରା ଚାଲାଣରେ କେବେ ପୂର୍ଣ୍ଣଚ୍ଛେଦ ପଡୁଛି, ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.