ପୁସ୍ତକ ପଢିବା ଏକ ସାଂସ୍କୃତିକ ପରମ୍ପରାର ପରିଚୟ

  • ବଲାଙ୍ଗିର ଜିଲ୍ଲା ସ୍ତରୀୟ ପୁସ୍ତକ ମେଳା ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହି ସାଇତି ରଖିବା, ବହି ପଢିବା ଏକ ସାଂସ୍କୃତିକ ପରମ୍ପରାର ପରିଚୟ । ସମୁନ୍ନତ ମଣିଷ ସଭ୍ୟତାର ବିକଶିତ ସ୍ବରୂପ ଏହି ଅଭ୍ୟାସ ଉପରେ ନିର୍ଭର କରିଥାଏ । ଏଣୁ ଆଗାମୀ ପିଢୀକୁ ସୁସ୍ଥ ସାମାଜିକ ଚେତନା ସହ ଏକ ସୁସଂହତ ସାଂସ୍କୃତିକ ପରମ୍ପରା ପ୍ରଦାନ କରିବାକୁ ପୁସ୍ତକ ପଠନର ଅଭ୍ୟାସ ଜାରି ରଖିବା ଦରକାର ବୋଲି ମତ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଉଦଯାପନୀ ସଂଧ୍ୟାର ବରେଣ୍ଯ ଅତିଥି ପ୍ରଫେସର ମଧୁସୂଦନ ପତି । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଂଧ୍ୟାକାଳିନ ସଭାରେ ବରେଣ୍ଯ ଅତିଥି ଭାବେ ପ୍ରଫେସର ଶ୍ରୀ ପତି, ଓଡିଶା ସାହିତ୍ଯ ଏକାଡେମୀର ସଦସ୍ଯା ଡାକ୍ତର ଜ୍ୟୋତିର୍ମୟୀ ସାହୁ ଯୋଗଦାନ କରିଥିଲେ । ସନ୍ଦୀପ କୁମାର କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଲେଖକ ପରିଷଦର କୋଷାଧ୍ୟକ୍ଷ ଅଜିତ କୁମାର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାଧାକୃଷ୍ଣ ପଟ୍ଟନାୟକଙ୍କ ଗୀତିକବିତା ପ୍ରୀତିଗୀତି, ଗୋପୀକୃଷ୍ଣ ପାଣ୍ଡିଆଙ୍କ ଏକାଦଶୀ ଅର୍ଘ୍ୟ, ସଦାନନ୍ଦ ମେହେରଙ୍କ ଶରଧା ବିକାଶ ପୁସ୍ତକକୁ ଲୋକାର୍ପିତ କରିଥିଲେ ମଞ୍ଚାସୀନ ଅତିଥିବୃନ୍ଦ ।

ଅପରାହ୍ନରେ ଐଶ୍ଵର୍ଯ୍ୟା ଦାସଙ୍କର ପରିଚାଳନାରେ ବଲାଙ୍ଗିର କୁଇଜ ଅନୁଷ୍ଠିତ ହୋଇଥିଲା । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୋପାଳ ପ୍ରଧାନ ଉପସ୍ଥିତ ଥିଲେ। ପରେ ସାଇ ଅଂଶିକା ତାଣ୍ଡି, ଆଦ୍ୟାଶା ଅନ୍ବେଷା ମେହେରଙ୍କ ଲୋକନୃତ୍ଯ, ଦିବ୍ଯାଂଶୀ ବାଗଙ୍କ ସମଲପୁରୀ ଫୁଲବାଲି, ଆଇଡିଏମ ପବ୍ଲିକ ସ୍କୁଲର ଲୋକନୃତ୍ଯ ପରିବେଷଣ କରାଯାଇଥିଲା । ଐଶ୍ଵର୍ଯ୍ୟା ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.