ବଲାଙ୍ଗିର ଜିଲ୍ଲା ଫ୍ଲାଇଆସ ବ୍ରିକ୍ସ ଇଣ୍ଡଷ୍ଟ୍ରି ଆସୋସିଏସନର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଫ୍ଲାଇଆଶ ବ୍ରିକ୍ସ ଇଣ୍ଡଷ୍ଟ୍ରି ଆସୋସିଏସନ ସଭ୍ୟମାନଙ୍କର ଏକ ବୈଠକ ସ୍ଥାନୀୟ ଗାର୍ଡେନ ଇନ ହୋଟେଲରେ ତା.୧୩/୧୨/୨୩ ସନ୍ଧ୍ୟା ୭ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିରର ୨୬ଟି ଫ୍ଲାଇଆସ ଇଣ୍ଡଷ୍ଟ୍ରିର ମାଲିକ ଉପସ୍ଥିତ ରହି ବଲାଙ୍ଗିର ଫ୍ଲାଇଆସ ବ୍ରିକ୍ସ ଇଣ୍ଡଷ୍ଟ୍ରିମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସର୍ବ ପ୍ରଥମେ ଆସୋସିଏସନର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା । ଆସୋସିଏସନର ସଭାପତି ରୂପେ ପ୍ରକାଶ କୁମାର ନେପାକ, ଉପ ସଭାପତି ଅକ୍ଷୟ ତ୍ରିପାଠୀ, ସମ୍ପାଦକ ଦେବଜ୍ୟୋତି ପୁରୋହିତ, ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର ସ୍ୱାଇଁ, କୋଷାଧ୍ୟକ୍ଷ ସମୀର ପାଣିଗ୍ରାହୀ ଏବଂ କାର୍ଯ୍ୟଜାରୀ କମିଟି ସଭ୍ୟ ରୂପେ ନରେଶ ରୋହେରା, ସଂଗୀତ ଅଗ୍ରୱାଲ, ଚନ୍ଦ୍ରଚୂଡ଼ ପଣ୍ଡା, ରାଜ ପାଢ଼ୀ, ରାଜା ବେଜ, ଯୋଗେଶ ପଟେଲ, ମଧୁ ପଟେଲ, ଅଙ୍କିତ ଅଗ୍ରୱାଲ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ସାମ୍ପ୍ରତିକ ପରିସ୍ଥିତିରେ କଞ୍ଚାମାଲର ଅହେତୁକ ଦରବୃଦ୍ଧି ତଥା ସରକାରଙ୍କ ଏବଂ ବିଦ୍ୟୁତ ବିଭାଗର ଏହି ଶିଳ୍ପ ପ୍ରତି ଉଦାସୀନତା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ଚିନ୍ତା ପ୍ରକଟ କରାଯାଇଥିଲା । ସରକାର ୧୦୦ କିଲୋମିଟର ପରିଧିରେ ବିନା ମୂଲ୍ୟରେ ଫ୍ଲାଇ ଆସ ଯୋଗାଇ ପ୍ରୋତ୍ସାହନ ଦେଉ ଥିବା ବେଳେ ବଲାଙ୍ଗିର ସେଥିରୁ ବଂଚିତ ରହୁଛି । କିଛି ଲାଲ ଇଟା ଭାଟି ମାଲିକ ବେଆଇନ କାଠ କାଟି ବିନା ରୟାଲଟିରେ ମାଟି, ବାଲି ବ୍ୟବହାର କରି କମ ଦାମରେ ଲାଲ ଇଟା ଯୋଗାଣ ଚାଲୁ ରଖିଛନ୍ତି । ଅଥଚ ଫ୍ଲାଇଆସ ଇଣ୍ଡଷ୍ଟ୍ରି ଚଢା ଦରରେ ଆସ, ବାଲି, ବିଦ୍ୟୁତ ସହ ବର୍ଦ୍ଧିତ ଦାମରେ କଞ୍ଚାମାଲ ସିମେଣ୍ଟ, ଚୂନ, ଜିପସମ କ୍ରୟ କରି କ୍ଷତି ସହୁଛନ୍ତି ଏବଂ ଋଣ ଗ୍ରସ୍ତ ହୋଇ ଇଣ୍ଡଷ୍ଟ୍ରି ବନ୍ଦ କରିବାକୁ ବାଧ୍ୟ୍ୟ ହେଉଛନ୍ତି । ଏହି ସବୁ ବିଷୟରେ ସବିଶେଷ ଆଲୋଚନା କରିବା ପରେ ନିମ୍ନ ଲିଖିତ ପ୍ରସ୍ତାବ ମାନ ବୈଠକରେ ଗୃହୀତ ହୋଇଥିଲା । ବିଭିନ୍ନ ସମସ୍ୟା ଉପରେ ସରକାରଙ୍କୁ ଅବଗତ କରାଇ ସମାଧାନର ପନ୍ଥା ନିରୂପଣ ପାଇଁ ଏବଂ ଅନ୍ୟାନ୍ୟ ବିଷୟରେ ସମାଧାନ ପାଇଁ ଆସନ୍ତା ସପ୍ତାହରେ ଆସୋସିଏସନ ବଲାଙ୍ଗିର ଜିଲ୍ଲାପାଳ, ବନ ଅଧିକାରୀ, ତହସିଲଦାର, ବିଦ୍ୟୁତ ବିଭାଗ ଅଧିକାରୀ ପ୍ରମୁଖଙ୍କୁ ଭେଟି ଦାବି ଉପସ୍ଥାପନା କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ଫ୍ଲାଇଆସ ୧୦୦ କିଲୋମିଟର ପରିବର୍ତ୍ତେ ୨୦୦ କିଲୋମିଟର ପରିଧିରେ ବିନା ମୂଲ୍ୟରେ ଇଣ୍ଡଷ୍ଟ୍ରିମାନଙ୍କୁ ଯୋଗାଇଦେବାକୁ ସରକାରଙ୍କ ପାଖରେ ଦାବି ଜଣାଇବାକୁ ପ୍ରସ୍ତାବ ଗ୍ରହଣ କରାଗଲା । ବର୍ତମାନ ପରିସ୍ଥିତିରେ କଞ୍ଚାମାଲର ହାରାହାରି ୨୫% ବୃଦ୍ଧି ଏବଂ ଆଗାମୀ ଦର ବୃଦ୍ଧିକୁ ବିଚାର କରି ଫ୍ଲାଇଆସ ଇଟାର ମାନବୃଦ୍ଧି ସହ ମୂଲ୍ୟ ବୃଦ୍ଧିକୁ ମଧ୍ୟ ବିଚାର କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ମାନ ସମୀକ୍ଷା କରାଯିବାକୁ ଆସନ୍ତା ୨୪/୧୨/୨୩ ଦିନ ବଲାଙ୍ଗିରର ସମସ୍ତ ଫ୍ଲାଇଆସ ଇଣ୍ଡଷ୍ଟ୍ରିମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ବଲାଙ୍ଗିର ସମସ୍ତ ଫ୍ଲାଇଆସ ଇଣ୍ଡଷ୍ଟ୍ରିମାନଙ୍କୁ ସଭ୍ୟ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଇ ସମସ୍ତ ପ୍ରକାର ସମସ୍ୟାର ସମାଧାନ କରାଯିବାକୁ ଉଦ୍ୟମ କରାଯିବ । ପରିଶେଷରେ ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ ହୋଇଥିଲା ।

Leave A Reply

Your email address will not be published.