ଖେଲୋ ଇଣ୍ଡିଆ ଉଷୁ ଓମେନ୍ସ ଲିଗ୍‌ରେ ବଲାଙ୍ଗିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ମାସ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କେରଳର କୋଲିକୋର୍ଡ ଠାରେ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ଉଷୁ ଓମେନ୍ସ ଜୋନାଲ ଲିଗ୍‌ରେ ଓଡିଶା ପକ୍ଷରୁ ୪୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତନ୍‌ ମଧ୍ୟରୁ ବଲାଙ୍ଗିର ଜିଲ୍ଲାରୁ ୩ ଜଣ ପ୍ରତିଯୋଗୀ ଯଥା ରିମା ସୁନା(ବିଷ୍ଣୁମୁଣ୍ଡା), ସାଳିନୀ ନନ୍ଦ(ତାଲପାଲିପଡା) ଓ ସୁହାନୀ ଗୁରହାଣ୍ଡି(ସିନ୍ଦୁରବାହାଲ) ମନୋନୀତ ହୋଇଛନ୍ତି । ଜିଲ୍ଲା ଉଷୁ ସଂଘ ସଂପାଦକ ଓ କୋଚ ଯୁଧିଷ୍ଠିର ଗୁରହାଣ୍ଡି ଏମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଷୁ ଖେଳ ଅଭ୍ୟାସ ଜୋରସୋର ଭାବରେ ଚଳାଇଛନ୍ତି । ଆଗାମୀ ପିଢି ପାଇଁ ଏହା ପ୍ରେରଣାର ଉତ୍ସ ହେବ ବୋଲି ଉଷୁ କୋଚ ଶ୍ରୀ ଗୁରହାଣ୍ଡି ଆଶା ବ୍ୟକ୍ତ କରିଛନ୍ତି । ଶ୍ରୀ ଗୁରହାଣ୍ଡି ଓଡିଶା ଟିମ୍‌ କୋଚ ଭାବେ ପ୍ରତିନିଧିତ୍ୱ କରିବେ । ଏହା ଜିଲ୍ଲା ପାଇଁ ଗୌରବର ବିଷୟ । ଶ୍ରୀ ଗୁରହାଣ୍ଡିଙ୍କ ନେତୃତ୍ୱରେ ବଲାଙ୍ଗିରରେ ଉଷୁର ପ୍ରଚାର ପ୍ରସାର ହୋଇ ଆସୁଅଛି । ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀମାନେ ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରଶିକ୍ଷଣ ନେଉଛନ୍ତି । ଖେଲୋ ଇଣ୍ଡିଆ ଲିଗ୍‌ ପାଇଁ ଭୁବନେଶ୍ୱର ଠାରେ ପ୍ରତିଯୋଗୀମାନଙ୍କ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତ୍ୟେକ ଜିଲ୍ଲାରୁ ଉଷୁ ଖେଳାଳିମାନେ ଭାଗ ନେଇଥିଲେ । ଓଡିଶା ଉଷୁ ସଂଘର ସଭାପତି ଏସ୍‌.ଏସ୍‌. ହରିଚନ୍ଦନ ଏବଂ ସାଧାରଣ ସଂପାଦକ ପ୍ରଦ୍ୟୁମ୍ନ ବେହେରାଙ୍କ ନେତୃତ୍ୱରେ ସିଲେକ୍ସନ ଟ୍ରାଏଲରେ ଯୋଗ୍ୟ ବିବେଚିତ ହୋଇଥିବା ଖେଳାଳିମାନେ ଖେଲୋ ଇଣ୍ଡିଆ ଉଷୁ ଓମେନ୍ସ ଜୋନାଲ ଲିଗ୍‌ରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ବୋଲି ବଲାଙ୍ଗିର ଜିଲ୍ଲା ଉଷୁ କୋଚ ଗୁରହାଣ୍ଡି ସୂଚନା ଦେଇଛନ୍ତି । ଜିଲ୍ଲା ସଂଘ ସଭାପତି ତପନ କୁମାର ପାଣିଗ୍ରାହୀ ଏବଂ ଉପସଭାପତି ବାବୁଲାଲ ନାଏକ ସଫଳ କାମନା କରିଛନ୍ତି ।

Leave A Reply

Your email address will not be published.