ବଲାଙ୍ଗିର ଜିଲ୍ଲାରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୧୦ ଗୋଟି ବ୍ଲକ ଓ ୪ ଗୋଟି ସହରାଞ୍ଚଳରେ ଚଳିତ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ । ଆଜି ସ୍ଥାନୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ କୁବେର ଚନ୍ଦ୍ର ମହନ୍ତ ଏହି ସୂଚନା ଦେଇଛନ୍ତି । ଫାଇଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକାରୀ କରାଯାଉଥିବା ବ୍ଲକ ଗୁଡିକ ହେଲା ଆଗଲପୁର, ବେଲପଡା, ବଲାଙ୍ଗିର, ଦେଓଗାଁ, ପାଟଣାଗଡ, ଗୁଡଭେଲା, ପୁଇଁତଲା, ଖପ୍ରାଖୋଲ, ଲୋଇସିଂହା ଓ ତୁରେକେଲା । ସେହିପରି ସହରାଞ୍ଚଳ ଗୁଡିକ ହେଲା ବଲାଙ୍ଗିର ପୌରାଞ୍ଚଳ, ପାଟଣାଗଡ, କଣ୍ଟାବାଞ୍ଜି ଓ ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ । ତେବେ ଏହି ସମୟ ମଧ୍ୟରେ ଜିଲ୍ଲାର ୧୩ ଲକ୍ଷ ୧୯ ହଜାର ୭୫ ଜନସଂଖ୍ୟାକୁ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ଔଷଧ ପ୍ରଦାନ କରାଯିବ । ଏଥି ସକାଶେ ୫୨୭୬ ଜଣ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ଏବଂ ୫୨୮ ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି । ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଘରକୁ ଘର ଯାଇ ନିଜ ତତ୍ଵାବଧାନରେ ନିଜ ସମ୍ମୁଖରେ ଔଷଧ ଖୁଆଇବେ । ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ ଓ ଗୁରୁତର ରୋଗୀଙ୍କୁ ଏହି ବଟିକା ଦିଆଯିବ ନାହିଁ । ଡି.ଇ.ସି ବଟିକା ଓ କୃମିନାଶକ ବଟିକା ନିୟୋଜିତ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଘରକୁ ଘର ଯାଇ ପରିବାରର ସଦସ୍ୟ ସଦସ୍ୟା ମାନଙ୍କୁ ବୟସ ଅନୁସାରେ ଏହି ବଟିକା ଖୁଆଇବେ । ଏହି ଔଷଧ ସେବନ ଦ୍ଵାରା ଶରୀର ଭିତରେ ଥିବା ମାଇକ୍ରୋ ଫାଇଲେରିଆ ପରଭୋଜୀ ସମ୍ପୂର୍ଣ ଭାବେ ମରିଯାଆନ୍ତି ଏବଂ ବଡ ପାରାସାଇଟ ମାନେ ନିସ୍ତେଜ ହୋଇଯାଆନ୍ତି ତଥା ଲୋକମାନେ ଭବିଷ୍ୟତରେ ଫାଇଲେରିଆ ରୋଗରୁ ସମ୍ପୂର୍ଣ ଆରୋଗ୍ୟ ଲାଭ କରନ୍ତି ଏବଂ ଏହି ଔଷଧ ସମ୍ପୂର୍ଣ ନିରାପଦ ଅଟେ ବୋଲି ଡ଼ ମହନ୍ତ ସୂଚନା ଦେଇଥିଲେ । ଏ ସମ୍ପର୍କରେ ଜିଲ୍ଲାରେ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ପ୍ରଦାନ, ରାତ୍ରିକାଳୀନ ରକ୍ତ ନମୁନା ସର୍ଭେ, ବ୍ଲକ ସ୍ତରୀୟ ସମନ୍ଵୟ ବୈଠକ ଏବଂ ମାଇକ୍ରୋପ୍ଲାନ ସମ୍ପୂର୍ଣ ହୋଇଯାଇଛି ବୋଲି ସେ ସୂଚନା ଦେଇଥିଲେ । ସଚେତନତା ନିମନ୍ତେ ଏ ସମ୍ପର୍କିତ ଲିଫଲେଟ ବଣ୍ଟନ ଓ ବିଦ୍ୟାଳୟ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ଦିବ୍ୟ କିଶୋର ପତି, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ସିଦ୍ଧେଶ୍ଵର ମାଝୀ, ଡ଼ ନମୀତା ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ, ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ବଲାଙ୍ଗିରର ଜିଲ୍ଲା ସଂଯୋଜକ ସୁରେଶ କୁମାର ସ୍ଵାଇଁଙ୍କ ସମେତ ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!