ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଧର୍ମନିରପେକ୍ଷତା ଏବଂ ଏହା ପ୍ରତି ଆହ୍ଵାନ ଉପରେ ଏକ ବିଶିଷ୍ଟ ବକ୍ତୃତାର ଆୟୋଜନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ନାତୋକୋତ୍ତର ରାଜନୀତି ବିଜ୍ଞାନ ବିଭାଗ ଏବଂ ଲୋକ ପ୍ରଶାସନ ବିଭାଗର ମିଳିତ ଆନୁକୂଲ୍ୟରେ “ଧର୍ମନିରପେକ୍ଷତା ଏବଂ ଏହା ପ୍ରତି ଆହ୍ଵାନ” ସମ୍ବଳିତ ଏକ ବିଶଷ୍ଟ ବକ୍ତୃତାର ଆୟୋଜନ କରାଯାଇଥିଲା । ଏହାକୁ ଭାରତର ପୂର୍ବତନ ରାଷ୍ଟ୍ରପତି କେ.ଆର୍.ନାରାୟଣନ୍‌ଙ୍କ ନିକଟରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଭାବରେ କାର୍ଯ୍ୟ କରୁଥିବା ସତ୍ୟ ନାରାୟଣ ସାହୁ ପ୍ରଦାନ କରିଥିଲେ । ସ୍ନାତୋକୋତ୍ତର ରାଜନୀତି ବିଜ୍ଞାନ ବିଭାଗର ସଂଯୋଜକ ଡ. ରାଜେଶ ସେଠ୍ ସଭାପତିତ୍ୱ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ରସଙ୍ଗର ପରିଚୟ ଦେଇଥିଲେ । ଧର୍ମନିରପେକ୍ଷତାର ଏକାଧିକ ଦୃଷ୍ଟିକୋଣ ଉପରେ ସତ୍ୟ ନାରାୟଣ ସାହୁ ଆଲୋଚନା କରିଥିଲେ । ଭାରତୀୟ ଧର୍ମନିରପେକ୍ଷତା ପାଶ୍ଚାତ୍ୟ ଧର୍ମନିରପେକ୍ଷତାଠାରୁ ଭିନ୍ନ ବୋଲି ସେ ସ୍ପଷ୍ଟ କରିଥିଲେ । ଭାରତୀୟ ସମ୍ବିଧାନ ପ୍ରଣୟନ ସଭାର ବିତର୍କ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ଦର୍ଶାଇ ସେ ଭାରତୀୟ ଧର୍ମନିରପେକ୍ଷତାର ଅନ୍ତର୍ଭୁକ୍ତିକରଣ ପ୍ରକୃତି ପାଇଁ ଯୁକ୍ତି ବାଢ଼ିଥିଲେ । ବିବିଧତାରେ ବହୁଳ ସାଂସ୍କୃତିକ ଭାରତୀୟ ସମାଜ ଉପରେ ଧର୍ମନିରପେକ୍ଷତାର ଏକ ସମନ୍ୱିତ କାହାଣୀ ଉପରେ ଶ୍ରୀ ସାହୁ ଗୁରୁତ୍ଵାରୋପ କରିଥିଲେ । ଶାନ୍ତି, ବିକାଶ ଏବଂ ଗଣତନ୍ତ୍ରର ବୃହତ୍ତର ଲକ୍ଷ୍ୟ ହାସଲ କରିବା ପାଇଁ ସେ ଧାର୍ମିକ ସହନଶୀଳତା, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଏବଂ ଧାର୍ମିକ ବିଷୟରେ ରାଷ୍ଟ୍ରର ‘ନୀତିଗତ ଦୂରତା’ ଉପରେ ଗୁରୁତ୍ୱାରୋପ କରିଥିଲେ । ପରିଶେଷରେ ସଞ୍ଜୟ ମେହେର, ସ୍ନାତୋକୋତ୍ତର ରାଜନୀତି ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଏବଂ ଲୋକ ପ୍ରଶାସନ ବିଭାଗର ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜନାରେ ବିଭାଗର ଶିକ୍ଷକ ଡ. ଶାରଦା ପ୍ରସନ୍ନ ରାଉତ ଏବଂ ଡ କୀର୍ତ୍ତିମୟୀ ରାଉତରାୟ ଉପସ୍ଥିତ ରହି ସଭା ସମ୍ପାଦନାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ଉତ୍ସାହର ସହିତ ବହୁ ସଂଖ୍ୟାରେ ଭାଗ ନେଇ ବକ୍ତୃତା ସଭାକୁ ସଫଳ କରିଥିଲେ ।

Leave A Reply

Your email address will not be published.