ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ଦୁଇଜଣ ଚାଲାଣକାରୀ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗ୍ରାହକ ବେଶରେ ବଜ୍ରକାପ୍ତା ଚାଲାଣକାରୀଙ୍କୁ ମାଡ଼ି ବସିଲା ଏସ୍‌ଟିଏଫ୍‌ ଓ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ । ଚାଲାଣକାରୀଙ୍କ ନିକଟରୁ ୧୧କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଏସ୍‌ଟିଏଫ୍‌ ଓ ବନବିଭାଗ । ସୂଚନା ପ୍ରକାରେ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଜକିକିଆ ଦେଇ ବଜ୍ରକାପ୍ତା ଚାଲାଣ ହେବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ଏହାପରେ ଏସ୍‌ଟିଏଫ୍‌ ସହ ଯୋଗାଯୋଗ କରି ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍‌ । ବୁଧବାର ବିଳମ୍ବିତ ରାତିରେ ଜକିକିଆ ନିକଟରେ ଚାଲାଣକାରୀଙ୍କ ଅପେକ୍ଷାରେ ଗ୍ରାହକ ବେଶରେ ଜଗି ବସିଥିଲା ଏସ୍‌ଟିଏଫ୍‌ ଓ ବନ ବିଭାଗର ଟିମ୍‌ ।ଏହାପରେ ଚାଲାଣକାରୀଙ୍କ ସହ ଗ୍ରାହକଙ୍କ ଭଳି ମୁଲଚାଲ କରି ଜିଅନ୍ତା ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରି କେସ ନଂ.୪/୨୧ ପ୍ରକାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ । ଗିରଫ ଦୁଇ ଅଭିଯୁକ୍ତ ସୁଡ୍ରା ସନୁବାଡି ଗ୍ରାମର ଶିବାନନ୍ଦ ମଲ୍ଲିକ ଏବଂ ବାରଖମା ଗ୍ରାମର ରାଷ୍ଟ୍ର ଭୋଇ ହୋଇଥିବା ଜଣାପଡ଼ିଛି । ନିଜ ଅଞ୍ଚଳରୁ ବଜ୍ରକାପ୍ତା ଆଣି ଚାଲଣ କରୁଥିବା ବେଳେ ଧରାପଡ଼ିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.