ମହଙ୍ଗା ପଡିଲା ପାହାଡ଼ ଉପରକୁ ଯାଇ ପାଠ ପଢିବା : ବଜ୍ରାଘାତରେ ତିନି ଛାତ୍ର ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼ ଉପରକୁ ଯାଇଥିଲେ ୩ ଛାତ୍ର । ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ । ଘନ ଘନ ମାରିଲା ବିଜୁଳି । ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ ଛାତ୍ରମାନେ । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପସରା ଗ୍ରାମ ପଞ୍ଚାୟତର ମୁଣ୍ଡାଗାଁରେ । ସୂଚନା ଅନୁସାରେ, ଆହତମାନେ ହେଲେ ଯୁକ୍ତ ଦୁଇର ଛାତ୍ର ଧିରେନ ଦିଗାଲ, ଦଶମ ଶ୍ରେଣୀର ଛାତ୍ର ପିଙ୍କୁ ମଲ୍ଲିକ ଓ ଅଷ୍ଟମ ଶ୍ରେଣୀର ଛାତ୍ର ପଞ୍ଚା ବେହେରା ।ଗତକାଲି ୩ ଜଣ ଛାତ୍ର ଗାଁରେ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବା ପାଇଁ ଗାଁ ନିକଟରେ ଥିବା ଡିଗୀସରୁ ପାହାଡ଼କୁ ଯାଇଥିଲେ । ସେମାନେ ପାହାଡ଼ ଉପରେ ଥିବା ସମୟରେ ଘନ ଘନ ବଜ୍ରାଘାତ ହେବା ସହିତ ବର୍ଷା ହୋଇଥିଲା । ଛାତ୍ରମାନେ କୌଣସି ଉପାୟରେ ପାହାଡ଼ ତଳକୁ ଆସିପାରି ନଥିଲେ । ଘନଘନ ବଜ୍ରାଘାତରେ ୩ ଜଣ ଛାତ୍ର ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ତେବେ ସନ୍ଧ୍ୟାରେ ପିଲାମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ମିଶି ପାହାଡ଼ ଉପରକୁ ଯାଇ ପିଲାମାନଙ୍କୁ ଖୋଜାଖୋଜି କରିଥିଲେ । ସେଠାରେ ୩ ଜଣ ଛାତ୍ର ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ । ପରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରାହ୍ମଣପାଦ ମେଡିକାଲରେ ଭର୍ତ୍ତି କରିଥିଲେ । ଧିରେନ ଦିଗାଲ ନାମଙ୍କ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ, ମୁଣ୍ଡାଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନାହିଁ । ଫଳରେ ଛାତ୍ରଛାତ୍ରୀଠାରୁ ଆରମ୍ଭ କରି ଗ୍ରାମବାସୀମାନେ ମଧ୍ୟ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ପାହାଡ଼ ଉପରକୁ ଯାଉଥିବା ବେଳେ ଗ୍ରାମବାସୀ ମଧ୍ୟ ଫୋନ୍ କରିବାକୁ ହେଲେ ପାହାଡ଼ ଉପରକୁ ଯାଇଥାନ୍ତି । ଗାଁରେ ମୋବାଇଲ ଟାୱାର ବସିଛି ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଯାହାଫଳରେ ଛାତ୍ରଛାତ୍ରୀଙ୍କ ଠାରୁ ଗ୍ରାମବାସୀ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ନେଟଓ୍ୱାର୍କ ପାଇଁ ପାହାଡ଼କୁ ଯାଇଥାନ୍ତି । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଅକ୍ଷମ ଥିବା ମୋବାଇଲ ଟାୱାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।

Leave A Reply

Your email address will not be published.