ବନବାସୀ ସୁରକ୍ଷା ସଂଗଠନ ପକ୍ଷରୁ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ବୈଠକ ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନବାସୀ ସୁରକ୍ଷା ସଂଗଠନ ପକ୍ଷରୁ ପ୍ରଶାନ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବିଦ୍ୟୁତ, ଇଣ୍ଟରନେଟ୍ ସେବା ଭଳି ଅନେକ ଜରୁରୀ କାଳୀନ ସମସ୍ୟାର ସମାଧାନ ଲାଗି ଆଲୋଚନା କରାଯାଇଥିଲା । ବ୍ରାହ୍ମଣୀଗାଁ ଅଞ୍ଚଳ ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ଭାବେ ପରିଚିତ ଥିବା ବେଳେ ଏହି ଅଞ୍ଚଳରେ ଝୁଣା, ଲାଖ, ପାଳୁଅ ପାଇଁ ଏହି ଅଞ୍ଚଳ ସାରା ରାଜ୍ୟ ଓ ରାଜ୍ୟ ବାହାରେ ନିଜର ଖ୍ୟାତି ଲାଭ କରିଛି । ତେଣୁ ଏହି ଅଞ୍ଚଳ ବ୍ୟବସାୟୀର ପେଣ୍ଠସ୍ଥଳୀ ଭାବେ ପରିଚିତ ହୋଇଥିବା ବେଳେ ଏଠାରେ ଆଠ ଗୋଟି ପଞ୍ଚାୟତର ଲୋକେ ଯଥା: ହାତୀମୁଣ୍ଡା, ତାଜୁଙ୍ଗି, ଗଦାପୁର, ସରାମୂଳି, ବ୍ରାହ୍ମଣୀଗାଁ, ଝିଞିରିଗୁଡା, କୁମ୍ଭାରିଗାଁ, କାଟିଙ୍ଗା ସମେତ ଗଜପତି ଜିଲ୍ଲା ମୋହନା ବ୍ଲକର କାଟମା ଓ ପାଣିଗଣ୍ଡା ଏହି ବ୍ରାହ୍ମଣୀଗାଁ ପଞ୍ଚାୟତ ଉପରେ ନିର୍ଭର କରନ୍ତି । ବ୍ୟାଙ୍କଠାରୁ ଆରମ୍ଭ କରି ଶିକ୍ଷା ପାଇଁ ମଧ୍ୟ ଆସିଥାନ୍ତି ଏହି ବ୍ରାହ୍ମଣୀଗାଁକୁ । କିନ୍ତୁ ନା ମିଳି ପାରୁଛି ବ୍ୟାଙ୍କ ସେବା ନା ହେଉଛି ଅନଲାଇନ୍ ପାଠପଢା । ବ୍ରାହ୍ମଣୀଗାଁରେ ଠିକ୍‌ ଭାବରେ ନେଟୱାର୍କ ରହୁନଥିବାରୁ ପିଲାମାନେ ପାଠ ପଢାରେ ବଞ୍ଚିତ ଅଛନ୍ତି । ସରକାର ଅନଲାଇନ୍ ପାଠ ପଢିବା ଘୋଷଣା କରିଥିବା ବେଳେ ତାହା ଦୁର୍ଗମ ଅଞ୍ଚଳ ମାନଙ୍କରେ କେବଳ ଏକ ପ୍ରକାର ପ୍ରହସନ ପାଲଟିଛି । ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ଅନଲାଇନ୍ ପାଠ ପଢିବା ପାଇଁ ମୋବାଇଲ ନେଟୱାର୍କ ପାଇବା ଲାଗି ଜଙ୍ଗଲ ଉପରକୁ ଯାଇ ପାଠ ପଢୁଛନ୍ତି । ଏହି ମଧ୍ୟରେ ଯଦି କୌଣସି ଛାତ୍ରଛାତ୍ରୀ ସରିସୃପ ଶିକାର ହେଲେ ଏହାର ଦାୟୀ କିଏ ରହିବେ ବୋଲି ପ୍ରଶ୍ନ କରିଛନ୍ତି ବନବାସୀ ସୁରକ୍ଷା ସଂଗଠକର ସଦସ୍ୟ ବଳଭଦ୍ର ମଲ୍ଲୀକ । ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଅଞ୍ଚଳ ବାସି ଦାବୀ କରିଛନ୍ତି । ପୁନର୍ବାର ଏହାର ଆଗାମୀ ବୈଠକ ୧୮ ତାରିଖରେ ବସିବା ପାଇଁ ସଂଗଠନ ପକ୍ଷରୁ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.