ଗାଇସିଲେଟ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନାରେ ଆଜି ଥାନାଧିକାରୀ ବୀରବର ଭଗତଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ । ସାଧାରଣ ଜନତାଙ୍କ ସହିତ ପୋଲିସର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରକ୍ଷା କରିବା ହେଲା ଏହି ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଥାନାଧିକାରୀ ଶ୍ରୀ ଭଗତ ସୂଚନା ଦେଇଥିଲେ । ବର୍ତମାନ ଗାଁ ଗହଳିରେ ଦୁର୍ନୀତି, ଅନୀତି ଓ ଆଇନ ଶୃଙ୍ଖଳା ଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କୁ ସେମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା । ଶ୍ରୀ ଭଗତ କହିଥିଲେ କି ନିଜର ପଞ୍ଚାୟତ ଭିତରେ ମହିଳାମାନେ ଯେମିତି ସୁରକ୍ଷିତ ରହି ପାରିବେ, ନିଶା ସେବନ ଓ ନିଶା କାରବାରରୁ ଯୁବ ପୀଢ଼ି କିଭଳି ଭାବେ ନିଜକୁ ଦୂରେଇ ରଖିବେ, ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର ପାଇଁ ନିଶା କାରବାରରେ ଜଡ଼ିତ ହୋଇ ଜେଲ ଯାଉଥିବାରୁ ଯୁବକମାନଙ୍କ ଉଜ୍ୱଳ ଭବିଷ୍ୟତ ନଷ୍ଟ ହେବା ସହ ପରିବାରକୁ ମଧ୍ୟ ବହୁ ମାତ୍ରାରେ କ୍ଷତି ସହିବାକୁ ପଡୁଛି । ତେଣୁ ଏଥିପ୍ରତି ସମସ୍ତେ ଧ୍ୟାନ ଦେବା ସହ ପୋଲିସକୁ ସହଯୋଗ କରିବା ପାଇଁ ଶ୍ରୀ ଭଗତ ଅନୁରୋଧ କରିଥିଲେ । ସବୁ ସମୟରେ, ସବୁ ପରିସ୍ଥିତିରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରକ୍ଷା ହୋଇପାରିଲେ ପୋଲିସ ନିଜ କାର୍ଯ୍ୟ ସୁଚାରୁ ରୂପେ ତୁଲାଇବା ସହିତ ସମାଜର ମଙ୍ଗଳ ହୋଇପାରିବ ଓ ଆବଶ୍ୟକ ସ୍ଥଳେ ନିରୀହ ଜନତା ପୋଲିସ ବା ଆଇନ ପାଖରୁ ଉପଯୁକ୍ତ ନ୍ୟାୟ ପାଇବାରେ ସକ୍ଷମ ହୋଇପାରିବେ । ତେଣୁ ନିଜ ଅଞ୍ଚଳରେ ଯେତେବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି ବା ନିଶା କାରବାର ହେଉଥିବାର ଖବର ପାଇଲେ ପୋଲିସକୁ ତୁରନ୍ତ ଖବର ଦେବା ପାଇଁ ଶ୍ରୀ ଭଗତ ସୂଚନା ଦେଇଥିଲେ । ବିଭିନ୍ନ ସମୟରେ ଅନେକ ଲୋକ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବାର ନଜିର ରହିଥିବାରୁ ଶ୍ରମିକମାନେ ନିଜ ଅଞ୍ଚଳରେ କାମ କରି ନିଜର ପରିବାର ପରିପୋଷଣ କରିବା ପାଇଁ ସମସ୍ତ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଥିଲେ । ଯଦି କେହି ବାହାର ରାଜ୍ୟକୁ ଯାଉଛନ୍ତି ତେବେ ସେମାନେ ଲେବର ଅଫିସରେ ନିଜର ନାମକୁ ପଞ୍ଜୀକୃତ କରାଇ କାମ କରିବା ସ୍ଥାନର ଠିକଣା ଦେଇ ବାହାରକୁ ଗଲେ ସମସ୍ତ ପ୍ରକାର ସୁବିଧା ଅସୁବିଧାର ସୁବନ୍ଦୋବସ୍ତ କରାଯିବ ବୋଲି କହିଥିଲେ । ତେବେ ଅନେକ ସମସ୍ୟା ବିଷୟରେ ବରିଷ୍ଠ ନାଗରିକମାନେ ଥାନାଧିକାରୀଙ୍କ ସହିତ ଆଲୋଚନା କରିଥିବା ବେଳେ ଶ୍ରୀ ଭଗତ ସମସ୍ତ ସମସ୍ୟାର କିଭଳି ସମାଧାନ ହୋଇପାରିବ ସେ ଦିଗରେ କାମ କରିବା ସହିତ ଲୋକଙ୍କ ସେବାରେ ଆମ ପୋଲିସ କାମ କରିବା ସହ ଯେକୌଣସି ମାମଲା ହେଉନା କାହିଁକି ଥାନାକୁ ଆସିଲେ ପୋଲିସ ବିଭାଗ ସମ୍ପୂର୍ଣ୍ଣ ନିଶୁଳ୍କ ସେବା ଯୋଗାଇ ଦେବ ବୋଲି ବୀରବର ଭଗତ କହିଥିଲେ । ପୋଲିସ ଓ ଜନତାଙ୍କ ଭିତରେ ସମ୍ପର୍କ ଗଢ଼ିବା ପାଇଁ ଏଭଳି ପ୍ରୟାସକୁ ବରିଷ୍ଠ ନାଗରିକମାନେ ଖୁବ୍ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

error: Content is protected !!