centurian jitm

ଲୋୟର ସୁକତେଲ ପ୍ରକଳ୍ପସ୍ତରୀୟ ଥଇଥାନ ଓ ପୁର୍ନବାସ ବୈଠକ

nschool
  • ଶତପ୍ରତିଶତ ବିସ୍ଥାପିତ ଓ ପ୍ରଭାବିତଙ୍କୁ ଉଚିତ କ୍ଷତିପୂରଣ ମିଳୁ – ନରସିଂହ
  • ପୁର୍ନବାସ କଲୋନୀରେ ପିଇବା ପାଣି ବିଜୁଳି ଯୋଗାଣରେ ଗୁରୁତ୍ୱ ଦେଲେ ଜିଲ୍ଲାପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପସ୍ତରୀୟ ଥଇଥାନ ଓ ପୁନର୍ବାସ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନ୍ତପାଲି ଗ୍ରାମକୁ ନେଇ ଥଇଥାନ ଓ ପୁର୍ନବାସ ବୈଠକରେ କମିଟିର ଅଧ୍ୟକ୍ଷ ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋକସଭା ସଦସ୍ୟାଙ୍କ ନୋମିନି ଦିନେଶ ଶର୍ମା, ଲୋଇସିଂହା, ପାଟଣାଗଡ ବିଧାୟକଙ୍କ ପ୍ରତିନିଧି, ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ଥଇଥାନ ଓ ପୁର୍ନବାସ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର ଏବଂ ପ୍ରଭାବିତ ଅଂଚଳର ଜନ ପ୍ରତିନିଧି ଓ ମହିଳା ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଅନ୍ତପାଲି ଗାଁର ବିସ୍ଥାପିତଙ୍କ ସମସ୍ୟା ସେମାନଙ୍କୁ ଯେଉଁଠାରେ ଥଇଥାନ କରାଯାଉଛି ସେଠାକାର ମୌଳିକ ସୁବିଧା ତଥା ବିସ୍ଥାପନ ପରେ ଯେଉଁଠାରେ ସେମାନେ ଥଇଥାନ ହେଉଛନ୍ତି ସେଠାରେ ତାଙ୍କ ଜୀବନ ଜୀବିକାକୁ ନେଇ ପ୍ରଶାସନ ତରଫରୁ କରାଯାଇଥିବା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଆଲୋଚନା ବେଳେ ବିଧାୟକ ନରସିଂହ ମିଶ୍ର ପ୍ରକଳ୍ପ ଦ୍ୱାରା ଯେମିତି ଜଣେ ବି ଲୋକଙ୍କ କୌଣସି ପ୍ରକାର କ୍ଷତି ନ ହେଉ ସେ ଉପରେ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ କହିଥିଲେ । ବିଜୁଳି, ଫଳନ୍ତି ବୃକ୍ଷର କ୍ଷତିପୂରଣ ତଥା କ୍ଷତିପୂରଣ ରାଶି ପ୍ରଦାନକୁ ନେଇ ପ୍ରତ୍ୟେହ ଅନେକ ସଂଖ୍ୟାରେ ଦରଖାସ୍ତ ଲୋକଙ୍କ ପାଖରୁ ତାଙ୍କ ପାଖକୁ ପହଞ୍ଚୁଥିବା ସେ ସୂଚନା ଦେବା ସହ ଏ ସବୁକୁ ପ୍ରକଳ୍ପ ଅଧିକାରୀମାନେ ପୁଙ୍ଖାନୁପୁଙ୍ଖ ଭାବରେ ପରୀକ୍ଷା କରି ସେ ସବୁକୁ ସମାଧାନ କରନ୍ତୁ ବୋଲି କହିଥିଲେ । ପ୍ରକଳ୍ପକୁ ନେଇ ଆହୁରି ମଧ୍ୟ ସେ କହିଥିଲେ ଯେ, ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ସମୟସୀମାକୁ ନେଇ ବିଭାଗୀୟ ମନ୍ତ୍ରୀ ଦେଇଥିବା ବୟାନ ଭୁଲ ପ୍ରମାଣିତ ହୋଇପାରେ । କାରଣ ଆଲୋଚନାରୁ ଜଣାଯାଉଛି ଯେ, ୨୦୨୩ ଡିସେମ୍ବର ସୁଦ୍ଧା କୌଣସି ମତେ ବି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ତେଣୁ ଏପରି ଭିତ୍ତିହୀନ ମନ୍ତବ୍ୟ ଦେବାରୁ ସରକାର କିମ୍ବା ତାଙ୍କ ମନ୍ତ୍ରୀ ନିବୃତ ରହିବା ଉଚିତ ବୋଲି ବିଧାୟକ ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ଯଦିଓ ଏହି ବୈଠକ ପ୍ରକଳ୍ପସ୍ତରୀୟ ଶେଷ ବୈଠକ ତଥାପି ମଧ୍ୟ ଲୋକଙ୍କ ଅଭିଯୋଗ ଆକାରରେ ସେମାନଙ୍କର ସମସ୍ତ ପ୍ରକାର ସମସ୍ୟା ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଉପସ୍ଥିତ ଥିବା ପ୍ରଭାବିତ ଅଂଚଳର ଜନ ପ୍ରତିନିଧିମାନଙ୍କୁ ପ୍ରତିଶୃତି ଦେଇଥିଲେ । ବିଶେଷ କରି ଆଗକୁ ଗ୍ରୀଷ୍ମ ମାସ ଆସୁଥିବାରୁ ନିଜେ ନିଜେ ବସତି ସ୍ଥାପନ କରିଥିବା ଏବଂ ସରକାରଙ୍କ ତରଫରୁ ନିର୍ମାଣ ହୋଇଥିବା ପୁନର୍ବାସ କଲୋନୀମାନଙ୍କରେ ପାନୀୟ ଜଳ ଓ ବିଜୁଳିର ଯେମିତି କୌଣସି ସମସ୍ୟା ନ ରହିବ ସେ ଉପରେ ନିଷ୍ଠାର ସହ ପଦକ୍ଷେପ ନିଅନ୍ତୁ ବୋଲି ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଉପସ୍ଥିତ ଜନ ପ୍ରତିନିଧିମାନଙ୍କର ସମସ୍ତ ପ୍ରକାର ଅଭିଯୋଗର ପରୀକ୍ଷା କରି ସେ ସବୁ ଉପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା । ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇ ସଭା ଶେଷ ଘୋଷଣା କରିଥିଲେ ।

Leave A Reply

Your email address will not be published.