ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

  • ବଜେଟ ପୂର୍ବରୁ ଦାବୀ ପୂରଣ ନ ହେଲେ ସମୁହ ଛୁଟି ନେବା ପାଇଁ ନିଷ୍ପତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ବଲାଙ୍ଗିର ଠାରେ ଶିତୋଷ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷକଙ୍କ ୩ ଦଫା ଦାବୀ ଯଥା ଶିକ୍ଷା ସହାୟକର ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା ସହ ୬ଟି ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ, ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ନୂତନ ପେନସନ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍‌କୁ ପୁନଃ ପ୍ରଚଳନ କରିବା ଇତ୍ୟାଦି ଘୋଷଣା ସମ୍ପର୍କରେ ସରକାରଙ୍କ ଅସ୍ପଷ୍ଟ ନୀତିକୁ ବୈଠକରେ ଦୃଢ ନିନ୍ଦା କରାଯାଇଥିଲା । ପ୍ରକାଶ ଥାଉକି, ଗତ ୨୭.୧୧.୨୦୨୨ ତାରିଖ ଠାରୁ ୪ ଦିନ ଧରି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ୟୁପିଟିଏଫ୍‌) ୩ ଦଫା ଦାବୀ ନେଇ ଲୋୟର ପିଏମ୍‌ଜି ଠାରେ ଦେଢ ଲକ୍ଷ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ସରକାରଙ୍କ ଲିଖିତ ପ୍ରତିଶୃତିକୁ ଆଲୋଚନା ପରେ ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା । ସରକାରଙ୍କ ପ୍ରତିନିଧି ତଥା ମୁଖ୍ୟ ଶାସନ ସଚିବ ଦାବୀ ପୂରଣ ସପକ୍ଷରେ ତା.୨୧.୧୨.୨୦୨୨ରେ ଉଚ୍ଚସ୍ତରୀୟ କମିଟି ଏବଂ ତା.୨୯.୧୨.୨୦୨୨ରିଖରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ସହ ବିସ୍ତୃତ ଆଲୋଚନା କରି ଶୀଘ୍ର ଦାବୀ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହାରି ଭିତରେ ସରକାର କୌଣସି ନିର୍ଦ୍ଦିଷ୍ଟ ଘୋଷଣା ନ କରି ତାରିଖ ପରେ ତାରିଖ ଗଡାଇ ଚାଲିଥିବାରୁ ଓଡିଶା ଦେଢ ଲକ୍ଷ ଶିକ୍ଷକଙ୍କର ପୁଞ୍ଜୁଭୁତ ଅସନ୍ତୋଷ ଦେଖାଯାଇଛି । ଉପରୋକ୍ତ ୩ ଦଫା ଦାବୀକୁ ଆଗାମୀ ବାର୍ଷିକ ବଜେଟ ପ୍ରସ୍ତୁତି ପୂର୍ବରୁ ସରକାର ଅତିଶୀଘ୍ର ଘୋଷଣା କରିବାକୁ ବୈଠକରେ ଦୃଢ ଦାବୀ କରାଯାଇଥିଲା । ଯଦି ବଜେଟ ପ୍ରସ୍ତୁତି ପୂର୍ବରୁ ସରକାର ଶିକ୍ଷକମାନଙ୍କର ସମସ୍ୟା ସମାଧାନ ନ କରନ୍ତି ଜିଲ୍ଲା ସଂଘର ନିଷ୍ପତ୍ତି ଅନୁଯାୟୀ ସମସ୍ତ ପ୍ରାଥମିକ ଶିକ୍ଷକ ସମୁହ ଛୁଟିରେ ଯିବା ସହିତ ଆଗାମୀ ଦିନରେ ପୁଣି ଆନ୍ଦୋଳନ କରିବା ପାଇଁ ଶିକ୍ଷକ ସଂଘର ସଭାପତି ଶିତୋଷ ପାଣିଗ୍ରାହୀ, ସଂପାଦକ ଚକାନନ୍ଦ କମ୍ପ, କାର୍ଯ୍ୟକାରୀ ସଭାପତି କରୁଣା ପଟେଲ, ସୁଶିଲ ପୋଡ, ଅମର ବାଗ, ସଂଜୀବ ଷଡଙ୍ଗୀ, ସୁମନ ସାହୁ, ଅକ୍ଷୟ ଧରୁଆ, ଆଶିଷ ସିଂଭୋଇ, ଜ୍ୟୋତି ପ୍ରକାଶ ଷଡଙ୍ଗୀ, ଶୁଶାନ୍ତ ସାହୁ, ମୋହନ ଦଲେଇ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!