ପାଇକମାଲ ବ୍ଲକରେ କୃଷକ ସଙ୍ଗଠନର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଚେତନା ଶ୍ରମିକ ସଂଗଠନ ପକ୍ଷରୁ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପାଇକମାଲ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମର ଚାଷୀ ସଂଗଠକ, ନେତୃବୃନ୍ଦ, କର୍ମୀ ଓ ଚାଷୀମାନେ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ସାଂପ୍ରତିକ ସ୍ଥିତିରେ ଦେଶରେ ଚାଷୀମାନଙ୍କର ଅବସ୍ଥା ଓ ଚାଷୀ ଆନ୍ଦୋଳନ ବିଷୟରେ ଆଲୋଚନା ହୋଇଥିଲା । ସର୍ବ ଭାରତୀୟ ସ୍ତରରେ ସଂଗଠନ ଓ ଆନ୍ଦୋଳନ କରୁଥିବା ଜୟ କିସାନ ଆନ୍ଦୋଳନର ଭୂମିକା ସଂପର୍କରେ ଚାଷୀମାନେ ଜାଣି ଉକ୍ତ ସଂଗଠନ ଓ ଆନ୍ଦୋଳନ ସହିତ ସଂପୃକ୍ତ ହୋଇ କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଜିଠାରୁ ପାଇକମାଲ ଅଞ୍ଚଳର ଚାଷୀ ଆନ୍ଦୋଳନ ଜୟ କିଷାନ ଆନ୍ଦୋଳନର ଏକ ଶାଖା ଭାବେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହା ସହିତ ଆନ୍ଦୋଳନ ଓ ସଂଗଠନର ସୁପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ବିଶ୍ୱନାଥ ରଣାଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା । ଏହି ସମ୍ମିଳନୀରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଏବଂ ଜୟ କିଷାନ ଆନ୍ଦୋଳନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଲିଙ୍ଗରାଜ ଯୋଗଦେଇ ସଂଗଠନ ଓ ଆନ୍ଦୋଳନର ଗୁରୁତ୍ୱ ବିଷୟରେ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ । ସେ କହିଥିଲେ ଯେ, କିଛି ସଂଗଠକ ସଂଗଠନର କାମକୁ ବେପାର ବୋଲି ଭାବୁଛନ୍ତି, ସେମାନେ ସଂଗଠନକୁ ଆଗକୁ ନେଇପାରିବେ ନାହିଁ । ସଂଗଠନକୁ ଆଗକୁ ନେବାକୁ ହେଲେ ସାମୁହିକ ମତାମତକୁ ଆଧାର କରି କାର୍ଯ୍ୟ କରିବାକୁ ହେବ । ଫସଲ ବୀମା ବା ବିଜୁଳି ଯେତେବେଳେ ସରକାର ଅଧୀନରେ ଥିଲା ସେତେବେଳେ ଆନ୍ଦୋଳନ କରି ଚାଷୀ ତା’ର ଅଧିକାର ପାଇପାରୁଥିଲେ । କିନ୍ତୁ କୃଷି ବୀମା କ୍ଷେତ୍ରରେ କମ୍ପାନୀ ମାନଙ୍କର ପ୍ରବେଶ ପରେ ଆନ୍ଦୋଳନ କଲା ପରେ ମଧ୍ୟ କମ୍ପାନି ଖାତିର କରୁନାହୁଁ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାନେ କମ୍ପାନୀର ଗୋଲାମ ବାଛିଛନ୍ତି । ଚାଷୀ ମାନଙ୍କୁ ଆଜି କମ୍ପାନୀ ବିରୁଦ୍ଧରେ ଲଢେଇ କରିବାକୁ ହେବ । ପାଇକମାଲ ଅଞ୍ଚଳର ଶିକ୍ଷା ଓ ସ୍ୱାସ୍ଥ୍ୟର ସ୍ଥିତି ଉଦ୍‌ବେଗଜନକ ଥିବାରୁ ଆଗାମୀ ଦିନରେ କାର୍ଯ୍ୟକ୍ରମର ରୂପ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ କୃଷକ ସମ୍ମିଳନୀରେ ଜୟ କିଷାନ ଆନ୍ଦୋଳନର ବରଗଡ ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ସଂପାଦକ ହର ବଣିଆଁ ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ବାଳକୃଷ୍ଣ ବନଛୋର, ରାସବିହାରି ସାହୁ, ଭୂବନେଶ୍ୱର ପ୍ରଧାନ, ଗିରିଧାରୀ ପାତ୍ର, ନବଘନ ତାଣ୍ଡି, ଚୁଡାମଣି ମିଶ୍ର ଆଦି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ବାଳକୃଷ୍ଣ ବନଛୋର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!