ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସୁବର୍ଣ୍ଣପୁର ରାମେଶ୍ଵର ମନ୍ଦିର ନିକଟସ୍ଥ ଷ୍ଟାଡିୟମ୍ଠାରେ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରାଯିବ । ଉକ୍ତ ଦିନ ପ୍ରାତଃ ସମୟରେ ସହରରେ ରାମଧୁନ ପ୍ରଚାର କରାଯିବ । ସକାଳ ଘ୦୬-୩୦ ଣ୍ଟା ସମୟରେ ସହରର ବିଭିନ୍ନ ଛକରେ ଓ କାର୍ଯ୍ୟାଳୟରେ ଅବସ୍ଥାପିତ ମହାପୁରୁଷ ତଥା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପୁଷ୍ପମାଲ୍ୟାର୍ପଣ କରାଯିବ । ସକାଳ ଘଂ୦୭-୩୦ ମି. ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ପୂର୍ବାହ୍ନ ଘଂ୦୮-୩୦ ମିନିଟ ସମୟରେ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଚଳିତ ବର୍ଷ ପୋଲିସ ବ୍ୟାଣ୍ଡ ଓ ପୋଲିସ ପ୍ୟାରେଡ଼ ଦଳ ସହ ୪୨ଟି ଦଳ ଅଂଶଗ୍ରହଣ କରିବେ । ପ୍ୟାରେଡ଼ ପଡିଆରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ସୀମିତ ଦଳ ସୁନ୍ଦର ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ବିଭିନ୍ନ ବିଭାଗ ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ନିଜ ବିଭାଗର ସଫଳତା ପ୍ରଦର୍ଶନ କରିବେ । ସେହିପରି ବିଭିନ୍ନ ବିଭାଗର କର୍ମଚାରୀ ତଥା ସଂସ୍ଥାମାନଙ୍କୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ପୁରସ୍କୃତ କରାଯିବ । ସେମାନଙ୍କୁ ସମ୍ପୃକ୍ତ ବିଭାଗୀୟ ଜିଲ୍ଲା ଅଧିକାରୀ ମନୋନୀତ କରିବେ । ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ରାଜ୍ୟ ଏବଂ ଜାତୀୟ ସ୍ତରରେ କୃତି ପାଇଁ ଛାତ୍ରଛାତ୍ରୀ ଏବଂ କ୍ରୀଡାବିତ୍ମାନଙ୍କୁ ମଧ୍ୟ ପୁରସ୍କାର ଦିଆଯିବ । ଅପରାହ୍ନରେ ରୟାଲ୍ ପଡିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଠିତ ହେବ । ସନ୍ଧ୍ୟା ୦୬ ଘଣ୍ଟା ସମୟରେ ନୂତନ ଟାଉନ ହଲଠାରେ ପୁରସ୍କାର ବିତରଣ ଓ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲାସ୍ତରୀୟ ଉତ୍ସବ ପରି ଜିଲ୍ଲାର ଉପଖଣ୍ଡ ସ୍ତରରେ, ବ୍ଲକ ସ୍ତରରେ ତଥା ପଞ୍ଚାୟତ ସ୍ତରରେ ମଧ୍ୟ ସମାରୋହ ଅନୁଷ୍ଠିତ ହେବ । ଉତ୍ସବ ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ, ଜାତୀୟତା ବୋଧକ ସଙ୍ଗୀତ ଆବୃତ୍ତି, ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେହିପରି ମହାବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅଧ୍ୟକ୍ଷ ସୋନପୁର ମହାବିଦ୍ୟାଳୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ କରାଯିବା ନିମନ୍ତେ ବୈଠକରେ ନିଷ୍ପତି ନିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ) ଶ୍ରୀମତୀ ନିଶିପୁନମ ମିଞ୍ଜ, ସିଡିଓ ତଥା ଇଓ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର
ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ତଥା ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି ବିଶେଷ, ବରିଷ୍ଠ ନାଗରିକ, ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟକ୍ଷ /ଅଧ୍ୟକ୍ଷା, ବିଭିନ୍ନ ସାଂସ୍କୃତିକ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱନୀ କୁମାର ଭୋଇ ସଭା ପରିଚାଳନା କରିଥିଲେ । ବିଦ୍ୟାପତି ପଣ୍ଡା ଗ୍ରନ୍ଥଗାରିକ କାର୍ଯ୍ୟକ୍ରମ ବିବରଣୀ ପଠନ କରିଥିଲେ ।